Unknown

ଚତୁରୀ ଚମ୍ପାଫୁଲ ବା

ନାରୀ ଚତୁରୀ ଗୀତାଭିନୟ

ବାଳକୃଷ୍ଣ ମହାନ୍ତି

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ-(ଦରବାର)

(ବୀର ବିକ୍ରମଦେବ, ବିରୁପାକ୍ଷ, ଜ୍ୟୋତିଷ, ବାବାଜୀ, ଦୂତ)

ରାଜା

ବିଜ୍ଞବୃନ୍ଦ ! ଏକ ଅପୂର୍ବ ସମସ୍ୟା ପଡ଼ି ମୋର ମନେ, ବିଚଳିତ କରୁଅଛି ମଥା, ବିଶ୍ୱକର୍ତ୍ତା ଭଗବାନ ଭିଆଇ ଏ ବିଶ୍ୱ, ନାନା ଜୀବଜନ୍ତୁ ତହିଁ କରିଛନ୍ତି ସୃଷ୍ଟି । ତନ୍ମଧ୍ୟରେ ଶ୍ରେଷ୍ଠ ନରନାରୀ । ତେବେ ଚତୁରତା ପଣେ କେ ବେଶୀ ଏ ଦୁହିଁଙ୍କ ମଧ୍ୟୁଁ ।

ଜ୍ୟୋତିଷ

ମହାରାଜ!ସର୍ବକାଳେ, ସର୍ବସ୍ଥାନେ, ଶ୍ରେଷ୍ଠ ନର ନାରୀଠାରୁ ଚତୁରତା ପଶେ ।

ବାବାଜୀ

ଏକମତ ସେଥି ମୋର ପୁର୍ବବକ୍ତା ମତେ ।

ଦୂତ

ବାବାଜୀ ଯାହା କହିଲେ, ମୋର ମଧ୍ୟ ସେଇଆ ।

ମନ୍ତ୍ରୀ

ମହାରାଜ ! ଶୁଣ ବାରେ ଅଧୀନ ବକ୍ତବ୍ୟ, ଆଦ୍ୟା ଅଟନ୍ତି ଆଦିମାତା, ଅଗ୍ରପୂଜ୍ୟା ନାରୀ, ଶ୍ରୀରାଧିକା ନାମ ଆଗ ତା ପଛା ମୁରାରି । ପୁଣି ଅଗ୍ରେ ଜନକ ନନ୍ଦିନୀ, ତହିଁ ପଛେ ଚାରାଧାରୀ । ପୁରାତନ ଇତିବୃତ୍ତୁଁ ରାଣୀ ଦୁର୍ଗାବତୀ, ସତୀ ଅହଲ୍ୟାବାଈ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ସେ ବୀରତ୍ୱ କଥା, ପୁରୁଷଙ୍କଠାରୁ ନାରୀ ଅଟନ୍ତି ଚତୁରୀ, ନୁହନ୍ତି ନୋହିବେ କେତେ ସମକକ୍ଷ ନର ନାରୀର ସମକ୍ଷେ ।

ରାଜା

(ସକ୍ରୋଧେ) ନରାଧମ ! ଲଜ୍ଜା ନାହିଁ ମୁଖେ, କି ସାହସେ ନାରୀର ମର୍ଯ୍ୟାଦା ଦେଖାଉ ସଭାରେ । ଏସନ ନିର୍ବୋଧ ତୁହି, କେ ତୋତେ ପୁରୁଷ କରି ସୃଜିଲା ସୃଷ୍ଟିରେ !

 

ଗୀତ

(ଆଲୋ ଦୁରାଚାରୀ- ବୃତ୍ତେ)

 

ଆରେ ନରାଧମ            ଧିକ ତୋର ଜ୍ଞାନ

ଧିକ ତୋ ଜୀବ ଯୌବନ

ମନ୍ତ୍ରୀକୁ ଭାଜନ            ନୋହୁରେ ଅଜ୍ଞାନ

ଛାର ନାରୀରେ (ଦେଉ) ସମ୍ମାନ

ପୁରୁଷଙ୍କ କଳଙ୍କ ।

ମୁଖେ ଲଜ୍ଜାନାହିଁ ତୋର ଅବିବେକ ।୧।

 

କୁଳାଙ୍ଗାର ! ମୋ ପରା ରାଜାର ମନ୍ତ୍ରୀ ହୋଇ ସାମାନ୍ୟ ସ୍ତ୍ରୀ ଜାତିଟାକୁ ଟେକି ଧରିଛୁ ?

 

ଗୀତ

ଇଚ୍ଛୁ ତୁ ମଙ୍ଗଳ            ଯେବେ କୁଳାଙ୍ଗାର

କର ଏଥି ପ୍ରତିକାର

ନାରୀର ଚାତୁରୀ            କେମନ୍ତ ପ୍ରକାର

(ଏହି) ଦୁଇଦିନେ କରିବୁ ଗୋଚର

ତେବେ ରହିବ ଟେକ ।

ମୂଢ଼, କିମ୍ପା ଅର୍ଜିଲୁ ଭୋଗ ସନ୍ତାପ ।୨।

 

ମୂର୍ଖ ! ନାରୀର ଚାତୁରୀ କିପରି ଅଧିକ, ଏହି ଦୁଇଦିନ ମଧ୍ୟରେ ଦର୍ଶାଅ, ନଚେତ୍ ନାରୀକୁ ସମ୍ମାନ ଦେବାର ସମୂଚିତ ଫଳ ଦେଖାଇ ଦେବି ।

 

ଗୀତ

କର ପ୍ରତିକାର            ଯିବ ଅପରାଧ

ଦେବଇଁ ବହୁ ସମ୍ପଦ ।

ନୋହିଲେ ବିବାଦ            ରହିଲା ମୋ ସଧ

(କୋର) ସବଂଶ କରିବି ବଧ

ବାଳକୃଷ୍ଣ ରଚନ ।

ମନ୍ତ୍ରୀ ଫେରିଲା ଗୃହେ (ହୋଇ) ବିମନ ।୩।

 

ନାରୀ ଯେବେ ଚାତୁରୀରେ ମୋଠାରୁ ବଳାଇ ଯାଏ, ତେବେ ତୁମ୍ଭଙ୍କୁ ଅନେକ ପୁରସ୍କାର ଦେବି । ନଚେତ୍ ପୁରୁଷଠାରୁ ନାରୀର ବୁଦ୍ଧି କମ୍ ହେଲେ ସବଂଶେ ମୁଣ୍ଡ କାଟ କରିବି, ଯାଅ ମୂର୍ଖ ।

(ମନ୍ତ୍ରୀ ବ୍ୟତୀତ ସମସ୍ତଙ୍କ ପ୍ରସ୍ଥାନ)

 

ମନ୍ତ୍ରୀ

(ସ୍ୱଗତ) ଓହୋଃ, ଏ କି ବିପଦ, ମୁଁ କାହିଁକି ସ୍ତ୍ରୀର ମର୍ଯ୍ୟାଦା ରାଜା ନିକଟରେ ପ୍ରକାଶ କଲି ! ବର୍ତ୍ତମାନ ଉପାୟ କଣ ? ଭଗବାନ ! ମୋତେ ଏ ଦ୍ୱନ୍ଦ୍ୱରେ କାହିଁକି ପକାଇଲେ !

 

ଗୀତ

(କହ ଗୁରୁ କହ ମୋତେ- ବୃତ୍ତେ)

 

ହାଇରେ ଦଇବ କେ ସହିବ ତୋର ଜ୍ୱାଳା ରେ

କ୍ଷଣକ ମଧ୍ୟରେ ବୁଡ଼ାଇବୁ ସର୍ବ ଭେଳାରେ

କ୍ଷଣେ ଦେଉ ଦୁଃଖ

କ୍ଷଣକେ ମାନବେ ଦେଉ ସୁଖ ।୧।

 

ଭଗବାନ ! ତୁମ୍ଭର କି ବିଚିତ୍ର ଲୀଳା ! ତୁମ୍ଭେ କ୍ଷଣକ ମଧ୍ୟରେ ମାନବକୁ କନ୍ଦାଇ ପାର, ପୁଣି ପର କ୍ଷଣରେ ହସାଇ ପାର ।

 

ଗୀତ

କ୍ଷଣକେ ବିନାଶ ତରୁ ତୋହର ସୃଜିଲା ରେ

କି ଆୟତ୍ତ ମାନବର ଭବରଙ୍ଗ ଲୀଳାରେ

ଦଇବର ଦ୍ୱନ୍ଦ୍ୱ ।

ଛାର ମାନବ ଭାଙ୍ଗିବା କିବା ସାଧ୍ୟ ।୨।

 

ଲୀଳାମୟ ! କେତେବେଳେ କାହାକୁ କି ଭାବରେ ଚଲାଉଛ ତୁମ୍ଭର ବିଚିତ୍ର ଲୀଳା ବୁଝିବା ଶକ୍ତି ତା’ର ?

 

ଗୀତ

କା ଆଗେ କହିବି ଏହା ମୋ କର୍ମ ଅର୍ଜିଲା ରେ,

ବାଳକୃଷ୍ଣ ବୋଲେ ଜୀବ ଛାଡ଼ିଯାନ୍ତା ଭଲାରେ

ଜୀବ ଆଜି ଯାଉ ।

ନ ସହି ପାରିବି ନୃପ ଦାଉ ।୩।

 

କିବା ଆଉ ପ୍ରୟୋଜନ ଏ ଛାର ଜୀବନେ । କେଉଁ ମନ୍ଦ ବୁଦ୍ଧି କରି ମୋର ମଥା ଭ୍ରମେ ବତାଇଲ କୃତାନ୍ତ ପୁରକୁ ପଥ ! କା ଆଗେ କହିବି ଏହା; ଦୁହିତା ମୋ ‘‘ଚମ୍ପାଫୁଲ’’ ନୟନପିତୁଳି, ମୋର କନକ ପ୍ରତିମା, ହରାଇଛି ମାତା ଶୈଶବ କାଳରୁ, ଶୁଣିଲେ ଏ ଭୀଷଣ କାରତା ଅଧୈର୍ଯ୍ୟ ହୋଇବ ନିଶ୍ଚେଁ । ଯାଏ ତେବେ ଥରେ ତା ନିକଟ ।

 

ଦ୍ୱିତୀୟ ଦୃଶ୍ୟ

(ମନ୍ତ୍ରୀ ଗୃହ)

(ଚମ୍ପା ଓ ଜନକ)

ଚମ୍ପା

ଦାସୀ ! ପିତା ଆଜି ରାଜସଭାରୁ ଫେରିବାକୁ ଏତେ ବିଳମ୍ବ ହେଲା କାହିଁକି ? କଣ କିଛି ବିଘ୍ନ ଘଟିଲା ? ମୋ ମନ କାହିଁକି ବାରଆଡ଼ୁ ପାପ ଛୁଉଁଛି ? ତୁ ଯିବୁଟି ଦାଣ୍ଡରେ ଦେଖିବୁ ।

ଦାସୀ

ହଁ, ବେଳ ତ ଆସି ଏତେ ହେଲାଣି, ଭାତ ଦିଟା ରନ୍ଧା ହୋଇ ଶୁଖି ଚଣା ଚାଉଳ ହେଲାଣି, ତାଙ୍କର ମାମଲତ ଏତେବେଳେ ଯାଏ ସରିନାହିଁ, ଦେଈ ! ବାପା ସାଆନ୍ତେ ଭାରି ଗପୁଡ଼ି ଧରିଲେଣି, ଯେଉଁଠି ବସିଥିବେ, ସେଇଠି ପହଡ଼େ । ତେମେ ଭାତ ହାଣ୍ଡିଟାକୁ ଘୋରେଇ ଦେଇ ଚୁଲି ଉପରେ ବସାଇ ଦିଅ, ମୁଁ ଦେଖେ (ସତକିରେ) ଦେଈ ! ହେଇ ପରା ଆଇଲେଣି ।

ଚମ୍ପା

(ସ୍ୱଗତ) ପିତାଙ୍କ ମୁଖଟା କାହିଁକି ଏପରି ବିରସ ଦେଖାଯାଉଛି, ପ୍ରତିଦିନ ତ ଦାଣ୍ଡ ଦୁଆର ମୁହଁରେ ଗୋଡ଼ ନ ଦେଉଣୁ ଚମ୍ପା, ଚମ୍ପା ବୋଲି ଡାକ ଡକାନ୍ତି, ଆଜି ଏ କି ଭାବ ? (ମନ୍ତ୍ରୀର ଗୃହେ ପ୍ରବେଶ ଓ ମଉନଭାବେ ଉପବେଶନ) (ପ୍ରକାଶ୍ୟେ) ପିତା ! ଆପଣଙ୍କର ମୁଖକମଳ ଏପରି ବିରସ ଦେଖାଯାଉଛି କାହିଁକି ? ମୁଁ ତ କିଛି ବୁଝି ପାରୁ ନାହିଁ ।

 

ଗୀତ

(ଏ ବାଟେ ଯାଇଛି ପରା- ବୃତ୍ତେ)

ହେ ତାତ                  କିମ୍ପାଇ ବ୍ୟସ୍ତ

ସଦୟ ଚିତ୍ତେ କହନ୍ତୁ ମୋତେ ।

କେ କଲା କି ବିବାଦ            ଦ୍ୱନ୍ଦ କି ଅପବାଦ

ଘଟିଲା ସତେ । ପଦ ।

 

ପିତା ! ପଥରେ ଆସିଲା ସମୟରେ କେହି କଣ ଆପଣଙ୍କ ସହିତ କଳିଗୋଳ କଲା କି ?

 

ଗୀତ

ରାଜା କିବା ଦଣ୍ଡିଛି ଦଣ୍ଡ,

ପଡ଼ିଲା କି ଅପତଣ୍ଡ,

ଅଧୈର୍ଯ୍ୟ ଦେଉଛି ମୋ ପିଣ୍ଡ,

କହ ସୁଚିତ୍ତେ ।୧।

 

ପିତା ! ରାଜା ଆପଣଙ୍କଠାରେ ବିରକ୍ତ ହୋଇ କୌଣସି ଦଣ୍ଡଦେଲେ କି ? କାହିଁକି, ଆପଣ ତ କିଛି କହୁ ନାହାନ୍ତି ! ଯଦି ମୁଁ କୌଣସି ଦୋଷ କରିଥାଏ, ତେବେ ମୋ ଅପରାଧ କ୍ଷମା କରନ୍ତୁ ।

 

ଗୀତ

ଅଭାଗିନୀ ମୁଁ ମାତୃହରା,

ତୁମ୍ଭେ ତାତ ଶୋକପାଶୋରା

ଏ ଦଣ୍ଡ ନ ନୁହଁଇ ସାରା

ବାଳିର ପ୍ରତେ ।୨।

 

ପିତା ! ନୟନ ଯୁଗଳୁ ତବ ଗଡ଼ି ଅଶ୍ରୁଧାର, ଅଙ୍ଗବାସ ହେଲାଣି ତ ଆର୍ଦ୍ର । କିବା ଅଭିଳାଷେ ଅଧୀନାରେ ଦେଉଛନ୍ତି ବ୍ୟଥା । ତାତ ! ତୁମ୍ଭ ମୁଖ ଚାହିଁ, ପାଶୋରିଛି ମାତୃ କଷ୍ଟପରା ! ଏ ଦଣ୍ଡ ନୁହଁଇ ସାରା ଅଧୀନା ପକ୍ଷରେ ।

 

ମନ୍ତ୍ରୀ

ଚମ୍ପା ! ତୋର ଦୁଃଖ କରିବାର କୌଣସି କାରଣ ନାହିଁ, ସେ ମୋ ନିଜ ଅର୍ଜିଲା କଥା ।

ଚମ୍ପା

ପିତା ! ନ କହିଲେ ଜାଣିବି କିପରି ?

 

ମନ୍ତ୍ରୀ

ଗୀତ

(ଜୟ ଲୀଳାନନ୍ଦ ହରି ହେ- ବୃତ୍ତେ)

ସୁଲକ୍ଷଣା ମୋର            ଚମ୍ପାରେ, କି କହିବି

ମୋ ଅର୍ଜିଲା କଥା,

ସୃଜିଲା ବ୍ରହ୍ମାଣ୍ଡେ            ମୋପରି ପାଷାଣ୍ଡେ

କାହିଁକି ସେ ସୃଷ୍ଟିକର୍ତ୍ତା ।

 

ଚମ୍ପା ! ବିଧାତା ମୋତେ ଦୁନିଆରେ କାହିଁକି ଜନ୍ମ ଦେଇଥିଲା, ମୁଁ ଅକର୍ମା ନ ମରି ବଞ୍ଚିଲି କାହିଁକି !

 

ଚମ୍ପା

ପିତା ! ବ୍ୟସ୍ତ ହେଉଛନ୍ତି କାହିଁକି ?

 

ମନ୍ତ୍ରୀ

ଗୀତ

ସେ ବୀର ବିକ୍ରମକେଶରୀ ଦେବ,

ପଚାରିଲା ଏକ ପ୍ରଶ୍ନର ଭାବ,

ଜଗତର ଜୀବଠାରୁ ଶ୍ରେଷ୍ଠ ଜୀବ

ନାରୀ ପୁଂସ ଚତୁରତା ।୧।

 

ରାଜା ଆଜି ସଭାରେ ଜ୍ୟୋତିଷ, ବାବାଜୀ, ଦୂତ ଓ ମୁଁ ଥାଇ ପ୍ରଶ୍ନ କଲେ, ସ୍ତ୍ରୀର ଚାତୁରୀ ବେଶୀ କି ପୁରୁଷର ଚାତୁର୍ଯ୍ୟ ବେଶୀ । ମୋ ବ୍ୟତୀତ ଅନ୍ୟମାନେ ଉତ୍ତର କଲେ ପୁରୁଷର ଚାତୁର୍ଯ୍ୟ ବେଶୀ ।

 

ଚମ୍ପା

ପିତା ! ତେବେ ଆପଣ କଣ ଉତ୍ତର ଦେଲେ ।

 

ମନ୍ତ୍ରୀ

ଗୀତ

ନାରୀରେ ପ୍ରଶଂସା କଲି ମୁଁ ଚାଣ୍ଡାଳ,

ବୋଇଲା ନୃପତି ଦେଖିବ କୌଶଳ

ଏଥକୁ ମୁଁ ଭାଳି ମରୁଛି ଦୁଲାଳି

ବାଳକୃଷ୍ଣ କରେ ଶଙ୍କା ।୨।

 

ଚମ୍ପା ! ମୁଁ କେତେ ଗୋଟି ସ୍ତ୍ରୀର ଉପଲକ୍ଷ୍ୟ ଦେଇ ସ୍ତ୍ରୀର ଚତୁରତା ବେଶୀ ବୋଲି କହିଥିଲି । ତହୁଁ ରାଜା ମୋ ଉପରେ ରାଗାନ୍ୱିତ ହୋଇ କହିଲେ, ସ୍ତ୍ରୀର ଚାତୁରୀ କିପରି ବେଶୀ, ଏହି ଦୁଇଦିନ ମଧ୍ୟରେ ଦେଖାଇ ଦେ, ନୋହିଲେ ତୋ ସବଂଶେ ମୁଣ୍ଡ କାଟ ହେବ । ଚମ୍ପା ! ମୋର କିଏ ଅଛି, ତୁହି ଏକା ନୟନ ପିତୁଳି ।

 

ଚମ୍ପା

ପିତା ! ଏ ସାମାନ୍ୟ କଥାଲାଗି ଏତେ ବ୍ୟସ୍ତ ଦେବା ଉଚିତ ନୁହେଁ । ମୁଁ ଯଦି ପ୍ରକୃତ କ୍ଷତ୍ରିୟ କନ୍ୟା ହୋଇଥାଏ, ନିଶ୍ଚୟ କାଲି ଚାତୁରୀ ଦେଖାଇ, ରାଜାଙ୍କୁ ଠକାଇ, ଯୁଗେ ଯୁଗେ ନାରୀର ମର୍ଯ୍ୟାଦା ବଜାୟ ରଖିବି ।

ମନ୍ତ୍ରୀ

କି ଉପାୟ ଚମ୍ପା ?

 

ଚମ୍ପା

ଗୀତ

(ବସନ୍ତେ ଭ୍ରମୁ କାନନ- ବୃତ୍ତେ)

ଏ ଛାର କଥାକୁ ତାତ,            କିମ୍ପାଇ କର ସନ୍ତାପ

ବିଅର୍ଥ ନ ହେବ ତବ ପ୍ରତି ଉତ୍ତର,

ଏକଳି କାଳରେ ଶାସ୍ତ୍ର            ନ ବୁଝନ୍ତି ମୂଢ଼ ଲୋକ

ତର୍କ ବିତର୍କରେ ସଦା ହୁଅନ୍ତି ରତ,

ହାସ ପରିହାସ ରସରେ,

ଅନୁରକ୍ତ ଥାନ୍ତି ସଦା ଅଳପ ନରେ ।୧।

 

ପିତଃ । ଏ କଳିକାଳରେ ଶାସ୍ତ୍ରୀୟ ଯୁକ୍ତି ପ୍ରାୟ ଅଧିକାଂଶ ଲୋକ ବୁଝନ୍ତି ନାହିଁ । ସେମାନଙ୍କୁ କୌଣସି ହାସ ପରିହାସ କଥାରେ ଠକାଇ ଦେଲେ ସୂକ୍ଷ୍ମରେ ବୁଝିଯିବେ ।

 

ମନ୍ତ୍ରୀ

କିପରି ?

ଚମ୍ପା

ଗୀତ

ଦେଖାଇ ନାରୀ କୌଶଳ,            ମନାଇବି ମହୀପାଳ,

ସଫଳ ହୋଇବ ନିଶ୍ଚେଁ ବାକ୍ୟ ତୁମ୍ଭର ।

ଆଜ୍ଞା କରନ୍ତୁ ପିଅର,            କରିବି ୟା ପ୍ରତିକାର,

ଚିର କୀର୍ତ୍ତି ଘୋଷୁଥିବ ଇହ ସଂସାର ।

ନ ଭାଙ୍ଗନ୍ତୁ ଆଶା ମୋହର,

ପରାଜିତ ହେବ ନିଶ୍ଚେ ବିକ୍ରମ ବୀର ।୨।

 

ପିତା ! ମୋତେ ଅନୁମତି ଦିଅନ୍ତୁ, ମୁଁ ତାର ଯଥୋଚିତ ପ୍ରତିକାର କରିବି ।

 

ମନ୍ତ୍ରୀ

ମା ! ତୋ ଇଚ୍ଛା, ଉପାୟ କଣ ଶୁଣେ ତେବେ ।

ଚମ୍ପା

ଗୀତ

ରାଜ୍ୟରେ ଦିଅ ଘୋଷଣ,            ଆସିଛି ବେଶ୍ୟା ରତନ

ସୁଷମାରେ କିଣନ୍ତା ସେ ତ୍ରୟଭୁବନ ।

ଦର୍ଶନେ ତା ସସ୍ର ସ୍ୱର୍ଣ୍ଣ,            ସ୍ପର୍ଶନେ ଲକ୍ଷ ପ୍ରମାଣ

ଉପଲକ୍ଷ ନାହିଁ ତାର ପ୍ରୀତିର ଗୁଣ ।

ହେଲେ ମହାଜନ ରାଜନ,

ବାଳକୃଷ୍ଣ ବୋଲେ ଏଥି ହେବେ ଭାଜନ ।୩।

 

ପିତା ! ରାଜ୍ୟରେ ଘୋଷଣା ଦିଅ, ଜଣେ ବେଶ୍ୟା କାହୁଁ ଆସି ରାଜ୍ୟର ବାହାରେ ଛାଉଣି ପକାଇଛି । ତାର ମୁଖ ଯେ ଦେଖିବ, ହଜାରେ ସ୍ୱର୍ଣ୍ଣମୃଦ୍ରା ଓ ପ୍ରୀତିକଲେ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଦେବ ।

 

ମନ୍ତ୍ରୀ

ଚମ୍ପା ! ତୁ କଣ ତେବେ ମୋ ଲାଗି କୁଳର ମର୍ଯ୍ୟାଦା ନଷ୍ଟ କରିବୁ ?

ଚମ୍ପା

ନା ପିତା ! ତା ଯଦି ହୁଏ, ମୁଁ ନାରୀର ମର୍ଯ୍ୟାଦା କ’ଣ ରଖିଲି ? ମୋହର ଅଙ୍ଗ କେହି ସ୍ପର୍ଶ କରିବେ ନାହିଁ ।

ମନ୍ତ୍ରୀ

ହଉ, ଭଗବାନଙ୍କର କି ଇଚ୍ଛା, ସେ କେଉଁ କଷଟିରେ କଷୁଛନ୍ତି କଷନ୍ତୁ ।

 

ତୃତୀୟ ଦୃଶ୍ୟ

(ରାଜପଥ)

(ନାଗରାବାଲା ଡେଙ୍ଗୁରା ଘେନି ପ୍ରବେଶ)

(ସ୍ୱଗତ) ଦୁନିଆରେ ହାଡ଼ି ଜାତିଟା ଏଡ଼େ ଖରାପ କାହିଁକି ? ଆମେ ତ ଭାରତମାତାର ଗୋଟିଏ ପୁଅ, ଆମକୁ ଛୁଇଁଲେ ସମସ୍ତେ ଛୁଆଁ ହେବେ, ଯେଉଁଠି ବାବୁ ଭାୟାମାନେ ବସିଥିବେ ଆମେ ଦି ପଦିକା ବାଟ ଆଡ଼େଇ ହୋଇଯିବୁ; ଆମେ କାହାକୁ କିଛି ହାତ ପତାଇ ମାଗିଲେ ଦେଲା ଲୋକ ପାଞ୍ଚହାତ ଦୂରରୁ ଫୋପାଡ଼ି ଦେବେ । ଯାହା ହେଉ, ଏଣିକି ଆମେ ଟିକିଏ ବାଗକୁ ଆସିଲୁଣି । ନିମ୍ନରୁ ଟିକିଏ ଉଚ୍ଚକୁ ଉଠିଲୁଣି । ପୁର୍ବେ କେହି କା ସହିତ ସଖ୍ୟ ସ୍ଥାପନ କରିବାକୁ ଗଲେ ମଧ୍ୟରେ ମହାପ୍ରସାବ ରଖି ବନ୍ଧୁତା ସୂତ୍ରେ ଆବଦ୍ଧ ହେଉଥିଲେ; ମାତ୍ର ଅଧୁନା ଉକ୍ତ ମଧ୍ୟସ୍ଥିର ମଧ୍ୟ ବର୍ଣ୍ଣମାନ ଲୋପପାଇ କେବଳ ତହିଁର ଆଦ୍ୟ ଓ ପ୍ରାନ୍ତବର୍ଣ୍ଣ (ଅର୍ଥାତ୍ ମଦ)ଦ୍ୱାରା ସଖ୍ୟ ସ୍ଥାପନ ହେଉଛି । ଭଗବାନଙ୍କ କୃପାରୁ, ତାଡ଼ି, ସରାପ, ହୁସକି ଯେପରି ନବ୍ୟସଭ୍ୟ ଜଗତର ବିଶେଷ ଆଦରଣୀୟ ହେଲାଣି, ଯଦି ଏହା କ୍ରମଶଃ ଉନ୍ନତି ଲାଭକରେ, ଆମ୍ଭେ ଦିନେ ସେ ବାବୁମାନଙ୍କ ଆଖ ପାଖରେ ବସିବୁଁ, ଏହା ସ୍ୱତଃସିଦ୍ଧ ।

(ପ୍ରକାଶ୍ୟେ- ଡେଙ୍ଗୁରା ପିଟିପିଟି)

 

ଗୀତ

ଭାଇ ହୋ; ଜଣେ ଆସିଛି ବେଶ୍ୟା

ଅତି ରୂପବତୀ ଅପୂର୍ବ ଯୋଦ୍ଧା । ପଦ ।

ଚମ୍ପା ଫୁଲ ପରି            ସେ ଗୋରୀ,

ବର୍ଷ ତାର ବାଆର ଚାରି,

ହରିଯିବ ଦୁଃଖ            ହେରିଲେ ତା ମୁଖ

ହରିଣଗମନା ସେ ମଦାଳସା ।୧।

ସ୍ୱର୍ଣ୍ଣମୁଦ୍ରା                  ହଜାର ଦେଲେ,

ମୁଖ ତାର ଚାହିଁବ ଭଲେ,

ପ୍ରୀତି ତାର ତୁଲେ            କରିବାକୁ ଗଲେ,

ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ଖୋଷଣି ଖୋସା ।୨।

 

ହୋ ସାଆନ୍ତମାନେ ! ସମସ୍ତେ ଶୁଣ, ଏ ରାଜ୍ୟକୁ କାହୁଁ ଜଣେ ବେଶ୍ୟା ଆସି ରାଜ୍ୟ ବାହାରେ ଡେରା ପକାଇଛି । ତାର ମୁହଁ ଯେ ଦେଖିବ, ହଜାରେ ସ୍ୱର୍ଣ୍ଣମୁଦ୍ରା ଓ ତା ସହିତ ପ୍ରୀତିକଲେ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ଦେବ ।       (ପ୍ରସ୍ଥାନ)

 

୪ର୍ଥ ଦୃଶ୍ୟ

(କକ୍ଷ)

ରାଜା

ଦୂତ ! ଏପରି ଜଣେ କିଏ ବେଶ୍ୟା ଆସିଛି, ତାର ଘୋଷଣା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ।

ଦୂତ

ଆଜ୍ଞ ମଣିମା ! ସେ ସେହିପରି ସାର୍ଟିଫିକେଟ ହାସଲ କଲାବାଲୀ ଥିବ ।

ରାଜା

ଗୀତ

(କହ ଦୂତ ଏ କି ବିପରୀତ- ବୃତ୍ତେ)

କହ ଦୂତ କାହୁଁ ଆସିଅଛି-

ସେହି ବେଶ୍ୟାଟା,

ଶୁଣି ତା ଘୋଷଣା ବଣା

ହେଲାଣି ମୋ ମଥାଟା । ପଦ ।

 

ଦୂତ ! ସେ ବେଶ୍ୟାର ଘୋଷଣା ଶୁଣିଲା ବେଳୁ ମୋର ମତି ବିଭ୍ରମ ହେଇଗଲାଣି । ମୋ ରାଜ୍ୟକୁ କେବେ ଏପରି ବେଶ୍ୟା ଆସି ନ ଥିଲା ।

 

ଗୀତ

ଦର୍ଶନେ ତା ସସ୍ର ସ୍ୱର୍ଣ୍ଣ,            ସ୍ପର୍ଶନେ ଲକ୍ଷ ପ୍ରମାଣ

ଶୁଣି ସେ ରମଣୀ ଗୁଣ ସ୍ଥିର ନୁହେଁ ଚିତ୍ତଟା ।୧।

 

ଯେଉଁ ବେଶ୍ୟାର ମୁଖ ଦେଖିଲେ ହଜାରେ ସ୍ୱର୍ଣ୍ଣମୁଦ୍ରା ଓ ତା ସହିତ ପ୍ରୀତିକଲେ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା, ତେବେ ସେ କେଡ଼େ ରୂପବତୀ ନ ହୋଇଥିବ ? ଦୂତ ! ସେ କେଉଁଠାରୁ ଆସିଛି ?

 

ଦୂତ

ମହାରାଜ ! ମୁ ଜାଣିଲି କିପରି ?

ରାଜା

ଗୀତ

ଅମରାବତୀରୁ ଖସି            ପଡ଼ିଛି କି ଶୁଭ୍ରକେଶୀ

ତା ଅଙ୍କ ପଲଙ୍କେ ବସି ଶିଖିବି ତା ରସଟା ।୨।

 

ଦୂତ ! ସେ ବୋଧହୁଏ ମର୍ତ୍ତ୍ୟର ମାନବୀ ନୁହେଁ, ନିଶ୍ଚୟ ସ୍ୱର୍ଗର ଗନ୍ଧର୍ବୀ ହେବ ପରା !

 

ଦୂତ

କେ ଜାଣି ମହାରାଜ ।

 

ରାଜା

ଗୀତ

କରଜ ଦେଇ ତା ଉର            କରିବି ପ୍ରୀତି ସମର

ସମ୍ବର ଅରିଭ ଭାର ଦହିବି ଏ ହୃଦଟା । ୩।

 

(ସ୍ୱଗତ) ଯାହାହେଉ, ଆଜି ନିଶ୍ଚୟ ତା ନିକଟ ଯିବି ।

 

ଗୀତ

କନ୍ଦର୍ପ ଦର୍ପ ସଂହାର            କରିବି ଏହି ରାତ୍ରର

ବାଳକୃଷ୍ଣର ବିଚାର ସୁଖ ଆଦିରସଟା ।୪।

 

ଦୂତ ! ଚାଲ, ଉଆସ ଆଡ଼କୁ ଯିବା ।       (ପ୍ରସ୍ଥାନ)

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ରାଜମାର୍ଗ)

ଜ୍ୟୋତିଷ

ଓହୋ ରେ ବେଶ୍ୟା ! ଯାହାର ମୁଖ ଦେଖିଲେ ହଜାରେ ସ୍ୱର୍ଣ୍ଣମୁଦ୍ରା, ପୁଣି ପ୍ରୀତିକଲେ ଲକ୍ଷେ ସୁନା ! ଏପରି ବେଶ୍ୟା ସଂସାରରେ ଅଛନ୍ତି ! ଯାହା ହେଉ, ତାର ତମ୍ଭୁ ନିକଟକୁ ଯିବା, ଆମେ ତ ଗରିବ ଜ୍ୟୋତିଷ, କୁହାବୋଲା କରିବା । ଯଦି କିଛି କମ୍ ଦରରେ ଆମକୁ ତା ନିକଟ ଯିବାକୁ କହେ ତ ଘର, ହାର, କଂସା ଲୋଟା ବନ୍ଧାପକାଇ ଯିବା । ଆଚ୍ଛା ଆଗ ଦରଦାମ କରିବା ।

(ତମ୍ବୁ ନିକଟକୁ ଯିବା)

 

(ଚମ୍ପା ଓ ଦାସୀ)

ଚମ୍ପା

ଦାସୀ ! କିଏ ଜଣେ ଡାକୁଛି ପରା ?

ଦାସୀ

ହଁ, ହଁ, କିଏ ଡାକୁଛି ।

 

ଚମ୍ପା

ଗୀତ

(କହ ହେ ବିଦେଶୀ- ବୃତ୍ତେ)

ଯାଅ ଲୋ ଯାଅ ଲୋ ଦାସୀ

ଡାକୁଛି କେ ଦାଣ୍ଡେ ଆସି,

ହସି ତୁ ଭାଷିବୁ ଭାଷ

ମନ୍ଦହାସୀ ମଦାଳସୀ । ପଦ ।

 

ଦାସୀ ! ଯା, କାହିଁକି କେ ଡାକୁଛି ତାଠାରୁ ବୁଝିବୁ, ଲାଜ ଲାଜ ଦେବୁ ନାହିଁଟି ।

 

ଗୀତ

ଦେଖାଇ ଭ୍ରୁଭଙ୍ଗୀ ଠାଣି

ନେବୁ ତାର ମନ ନିଶି,

କି ଭାଷେ ତା ବାଣୀ ଶୁଣି

କଣ୍ଟ ଏ ପ୍ରହରି ନିଶି ।୧।

 

ଦାସୀ ! ତା ସହିତ ହସିକରି କଥାବାର୍ତ୍ତା କରିବୁ । ଯଦି ସେ ମୋ ନିକଟ ଆସିବାକୁ ଇଚ୍ଛୁକ ଥାନ୍ତି ତ ରାତି ପ୍ରଥମ ପ୍ରହରକୁ କଣ୍ଟ କରିଦେବୁ ।

 

ଦାସୀ

ହଉ ।            (ପ୍ରସ୍ଥାନ)

ଜ୍ୟୋତିଷ

(ଦାସୀକୁ ଦେଖି ସ୍ୱଗତ) ଆହା ଏ କଣ ସେହି ବେଶ୍ୟାରତ୍ନ । ନା, ମୁଁ ତ ମୁହଁ ଦେଖା ଫିସ୍ ଦେଇ ନାହିଁ, ଏ ତେବେ ବାହାରି ଆସିଲା କିପରି ? ବୁଝିବା ।

ଦାସୀ

କିଏ ତୁମ୍ଭେ, କିବା ଅଭିଳାଷେ ଆଗମନ ଏଥି ।

ଜ୍ୟୋତିଷ

(ସ୍ୱଗତ) ଆରେ ଏ ତ ବଡ଼ ଲଜ୍ଜିତ ଘରର ପିଲା, ବଡ଼ ସଭ୍ୟତାରେ କଥାବାର୍ତ୍ତା ତରୁଛି । (ମୁଣ୍ଡ କୁଣ୍ଡାଉ ପ୍ରକାଶ୍ୟେ) ହଁ, ଆମ୍ଭେ ଏହିଠାକୁ ଆସିଛୁ ବାଇ ସାହେବଙ୍କୁ..... ।

ଦାସୀ

ନା, ତେବେ ବର୍ତ୍ତମାନ ନୁହେଁ, ଆସିବାର ହେଲେ ପ୍ରହରେ ରାତିକି ଆସିବେ ।

ଜ୍ୟୋତିଷ

ଦରଟା ଟିକିଏ ବିଚାର ହେବ, ତୁମ୍ଭ ବାଇ ସାହେବଙ୍କୁ କୁହ ସେ ଜଣେ ରାଜସଭାର ଜ୍ୟୋତିଷ ।

ଦାସୀ

ଏ ପରିବା ହାଟ ନୁହେଁ, ପ୍ରେମ ହାଟ । ହଉ, ମୁଁ ଆସେ ।

ଜ୍ୟୋତିଷ

(ସ୍ୱଗତ) ଦାସୀର ତ ଏତେ ଛଇ, ବେଶ୍ୟାଟା ବା କିପରି ହୋଇ ନ ଥିବ !

ଦାସୀ

ଦେଈ ! ରାଜସଭାରୁ ଜଣେ ବୁଢ଼ା ଜ୍ୟୋତିଷ ଆସିଛନ୍ତି, ସେ ଏତେ ଦର ଦେବାକୁ ନାରାଜ ।

ଚମ୍ପା

ଦାସୀ ! ସେ ଜଣେ ମୋ ପିତାଙ୍କର ଶତ୍ରୁ । ସେ ଆସିବା ଦରକାର । କହ ସେ କ’ଣ ଆଣୁଛନ୍ତି ଆଣନ୍ତୁ, ଆସିଲେ ବୁଝାହେବ ।

 

(ଦାସୀ ତଥାକରଣ ଓ ଜ୍ୟୋତିଷର ସାନନ୍ଦେ ଗମନ)

 

ଚମ୍ପା

ଗୀତ

କଣ୍ଟକରି ଖଣ୍ଟ ବୃତ୍ତି,            କଲେ ଚେତିବ ନୃପତି,

ଯିବ ତାତ ମନ୍ତୁ ଭୀତି ବିଷାଦେ ଅଛନ୍ତି ବସି ।୨।

 

ଦାସୀ ! ଏମାନଙ୍କୁ କଣ୍ଟକରି ଖଣ୍ଟ ବୃତ୍ତି ନ କଲେ ପିତାଙ୍କର ଅଭିଳାଷ ପୂର୍ଣ୍ଣହେବ ନାହିଁ । ତୁ ଯା, ଦୁଆର ମୁହଁରେ ଥିବୁ । ଯେ ଆସିବ ତାକୁ ଅନ୍ୟ ପ୍ରହରକୁ କଣ୍ଟ କରିବୁ, ଏହିପରି କ୍ରମାନ୍ୱୟରେ ଯଦି ଚାରିଜଣ ଯୁଟନ୍ତି, ଚାରି ପ୍ରହରକୁ କଣ୍ଟ କରିଦେବୁ ।

 

(ଚମ୍ପାର ପ୍ରସ୍ଥାନ)

 

(ଦାସୀର ଦ୍ୱାରଦେଶେ ପ୍ରତୀକ୍ଷାକରଣ)

 

ବାବାଜୀ

(ସ୍ୱଗତ) ଆମେ ଜଣେ ପରମ ତ୍ୟାଗୀ ବୈଷ୍ଣବ । ଆମ୍ଭର ଦାଢ଼ି, ଜଟା, କନ୍ଧରେ ଦୀର୍ଘ ପଇତା, ଗଳାରେ ରୁଦ୍ରାକ୍ଷର ମାଳା, ନାସାଗ୍ରରୁ କେଶ ପର୍ଯ୍ୟନ୍ତ ତିଳକ ଚିତା, ହରି ନାମଟା ବି ସଦାବେଳେ ତୁଣ୍ଡରେ ଥାଏ, କିନ୍ତୁ ଯେଉଁଦିନଠାରୁ ରାଜା ମଠବାଡ଼ି ଖଞ୍ଜା ଦେଲେଣି, ସେଦିନୁ କାଠପରି ଖଟ ଉପରେ ଗଡ଼ି ଗଡ଼ି ପ୍ରୀତିପାଠ ପଢ଼ିବାକୁ ବଡ଼ କିଛି ଇଚ୍ଛା । ତେବେ ଏହି ବେଶ୍ୟାକୁ ଗୁରୁ ରୂପରେ ବରଣ କଲେ ଭଲ ହୁଅନ୍ତା ଏକା । ଯାଏ, ତାର ଡେରାଟା କେଉଁଠି !

ଦାସୀ

ଏ ଗୋଟିଏ କିଏ ?

ବାବାଜୀ

ହରେକୃଷ୍ଣ, ହରେକୃଷ୍ଣ, ହଇଲୋ ମା’, ତମେ ଏଠି ପ୍ରୀତି ବିକ୍ରି କରୁଛ କି ?

ଦାସୀ

ହଁ, ହଁ, ଆପଣ ଖର୍ଦି କରିବେ ?

ବାବାଜୀ

ଆଲୋ ମା’, ଆମେ ଟଙ୍କା ସୁନା କେଉଁଠୁ ପାଇବା, ଏମିତି ଏବେ ତୁଳସୀ କଣିକାଏ ଦେଇ ଟିକିଏ ଆଶା ମେଣ୍ଟେଇଦେବା ।

ଦାସୀ

ହଉ ତେବେ ବର୍ତ୍ତମାନ ନୁହେଁ, ଯାଆନ୍ତୁ ରାତ୍ର ପ୍ରହରକ ଉତ୍ତାରେ ଆସିବେ ।

ବାବାଜୀ

ହଉ, ବହୁତ ଆଚ୍ଛା, ସେତେବେଳକୁ ଠାକୁରଙ୍କ ନୀତି ବି ବଢ଼ି ଯାଇଥିବ, ତୁମ୍ଭ ବାଇସାହେବଙ୍କୁ କହିବ, ଆଉ କ’ଣ ମୁଠିଏ ପ୍ରସାଦ ତାଙ୍କ ପାଇଁ ଆଣିବା ? (ପ୍ରସ୍ଥାନ)

ଦାସୀ

ମଲା, ଏ ଯୋଗୀନିଖିଆ ବାବାଜୀଟା ବି ଏଇଥିରେ ମାତିଛି ।

ଦୂତ

(ସ୍ୱଗତ) ଆରେ ଚାକିରୀ କରିଥାଇଁ ଆମେ, ପଇସା କମେଇଛୁ ଆମେ, ଘରକୁ ମୁରବି ଆମେ । ଆମ ଇଚ୍ଛା ହେଲା ବେଶ୍ୟା ବାଡ଼ିକୁ ଯିବା । ଆମକୁ କିଏ ମନା କରିବ ? ମନୁଷ୍ୟ ଜନ୍ମ ପାଇଥାଇଁ ସୁଖ କରିବା, ମଉଜ କରିବା । ଏଠି ଅଛି କିଏ ?

ଦାସୀ

ଆପଣ କିଏ ?

ଦ୍ୱାରୀ

ଆମେ ଏ ରାଜାଙ୍କର ଦୂତ ।

ଦାସୀ

ତେବେ କୁଆଡ଼େ ଆସିଲ ?

ଦ୍ୱାରୀ

ଆମ ଢଙ୍ଗଢାଙ୍ଗରୁ ଠଉରାଉ ନାହଁ ଯେ, ଆହୁରି ପଚାରୁଛ ?

ଦାସୀ

କଣ ଆସିବାକୁ ଇଚ୍ଛା, ତେବେ ଦୁଇ ପ୍ରହର ରାତି ଗତ କରି ଆସିବ ।

ଦ୍ୱାରୀ

ବେଶୀ ଉଛୁର ହୋଇ ଯାଉଛି ।

ଦାସୀ

ନା, ସେ ହୁକୁମ ବାଇ ସାହେବଙ୍କର ।

ଦ୍ୱାରୀ

ହଉ ହେଲା ।       (ପ୍ରସ୍ଥାନ)

ଦାସୀ

(ସ୍ୱଗତ) କେରାଣ୍ଡି ମାଛ ସୁଅରେ ଗଡ଼ିଲା ପରି କଣ ଗଡ଼ି ଆସୁଛନ୍ତି !

 

(ରାଜାଙ୍କ ପ୍ରବେଶ)

ରାଜା

(ସ୍ୱଗତ) ସେ ବେଶ୍ୟାର ଘୋଷଣା ଶୁଣିଲା ବେଳଠାରୁ ମନ ଆଉ କେଉଁଥିରେ ଲାଗୁ ନାହିଁ । ଏଇତ ତାହାର ତମ୍ବୁ, ଟିକିଏ ତାହା ସହିତ କଥାବାର୍ତ୍ତା କରିବା (ପ୍ରକାଶ୍ୟେ) ଏଠି ଅଛି କିଏ ?

ଦାସୀ

ମୁଁ ବାଇଙ୍କର ଦାସୀ ।

ରାଜା

ଆମ୍ଭେ ଏ ଦେଶର ରାଜା, ତୁମ୍ଭ ବାଇ ସାହେବଙ୍କ ସାକ୍ଷାତ୍‌ କରାଇ ଦିଅ ।

ଦାସୀ

ମହାରାଜ ! ବର୍ତ୍ତମାନ ନୁହେଁ, ରାତ୍ରର ଶେଷ ପ୍ରହରକୁ ଆସିଲେ ସବୁ ସୁବିଧା ହେବ । ବର୍ତ୍ତମାନ ତାଙ୍କର ଦେଖା ମିଳିବ ନାହିଁ ।

ରାଜା

ହଉ ହେଲା । (ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

(ଜ୍ୟୋତିଷ ଗୃହ)

(ଜ୍ୟୋତିଷ ଘରଦ୍ୱାର ଭାଙ୍ଗି କଂସା ବାସନ ଘେନି ପଳାଉ ପଳାଉ)

ତାରା

ହଇରେ ଖଣ୍ଡିଆ, ଏ ଘରଦ୍ୱାର ଭାଙ୍ଗିକୁଆଡ଼େ ପଳାଉଛୁ ।

ଜ୍ୟୋତିଷ

ଆଲୋ ମୋ ଇଚ୍ଛା ।

 

ତାରା

ଗୀତ

ଆରେ ସାପଖିଆ ମଲୁ ନାହିଁ

ଯମ ଡାକୁଥିଲା ଗଲୁ ନାହିଁ ।

ଘର ଦ୍ୱାର କରୁ ହୁରଜୂର

ଅଜରା ଖଣ୍ଡିଆ ଥିଲୁ କାହିଁ । ପଦ ।

 

ଖଣ୍ଡିଆ ! ରାଜ୍ୟରେ ଏତେ ଲୋକ ମରୁଛନ୍ତି, ତୋତେ କଣ ଯମ ନେବାକୁ ଡରୁଛି ?

 

ଜ୍ୟୋତିଷ

ଆଲୋ ସମସ୍ତଙ୍କ ମରଣ ତ ଆମ ହାତରେ ।

 

ତାରା

ଗୀତ

ରାଣ୍ଡଘରେ କେଉଁ ଗୁଣକୁ ରେ

ଯାଉଅଛୁ ଖଣ୍ଡିଆ ତୁରେ ।

ଦାଣ୍ଡରୁ ଆଣିଲେ ହାଣ୍ଡିରେ ପକାଉ

କି ହୁଣ୍ଡି ରଖିଛୁ ଦେବୁ ତୁ ନେଇ ।

 

ଆରେ ଯୋଗିନିଖିଆ, ମୁଁ ଜାଣିଛି । ତୁ ବେଶ୍ୟା ଘରକୁ ଯାଉଛୁ । ହଇରେ ତୋଠେଇଁ କଣ ଅଛି ତୁ ତାକୁ ଦେବୁ ?

 

ଜ୍ୟୋତିଷ

ଆଲୋ, ଏଇସବୁ ଯାହା ଜିନିଷ ପତ୍ର ଅଛି, ତାକୁ ଦେବି ।

 

ତାରା

ଗୀତ

ବୁଢ଼ାକାଳେ ପୀରତି ମଜା ମନେ ପଡ଼ୁଛି କି ନିର୍ଲ୍ଲଜା

ଯା ଯା ଫେରିଯା            ଦେବଇଁ ଦିପୁଞ୍ଜା

ବାଳି ବୋଲେ କଳି ନ କରୁ ତୁହି ।୨।

 

 

ସାପଖିଆ ! ଯେବେ ଭଲ ଦଶା ଅଛି, ଘରକୁ ଫେରିଚାଲେ ।

ଜ୍ୟୋତିଷ

ଶାଳୀକି ଦେବି ଦି ବିଧା ଯେ (ସ୍ତ୍ରୀକୁ ମାଡ଼ ଦେଇ ବିଦା କରିବା)

 

 

ତୃତୀୟ ଦୃଶ୍ୟ

(ବେଶ୍ୟାର ତମ୍ବୁ)

ଚମ୍ପା

ଦାସୀ, ପ୍ରଥମ ପ୍ରହରେ ଯାହାକୁ କଣ୍ଟ ହୋଇଥିଲା, ସେ କାହିଁକି ଆସିଲା ନାହିଁ ?

ଜ୍ୟୋତିଷ

ଦ୍ୱାର ଫିଟୁ ।

ଦାସୀ

ଆଇଲେଣି ତ !

ଚମ୍ପା

ଡାକି ଆଣେ ।

ଜ୍ୟୋତିଷ

(ଜିନିଷ ପତ୍ର ରଖିଦେଇ ବାଇସାହେବଙ୍କୁ ସାଷ୍ଟାଙ୍ଗେ ପ୍ରଣାମ କରିବା)

ଚମ୍ପା

ରସିକ ଶ୍ରେଷ୍ଠ ! ଆସ ପଲଙ୍କକୁ ଆସ ।

ଜ୍ୟୋତିଷ

ଏଇ ତଳ ଆମ୍ଭ ପଲଙ୍କ (ଅତର ନିଜେ ଓ ବେଶ୍ୟାକୁ ସିଞ୍ଚିବା ଅଭିନୟ)

ଚମ୍ପା

ଦାସୀ ! ପାନ ଦେ ।

ଗୀତ

(ଆସ ନାଗରି- ବୃତ୍ତେ)

 

ଆସ ରସିକବର            ବର ରସ ବେଭାର

ରାତି ରସେ ଯାଉ ନିଶି ପାହି

ମାର ପ୍ରତାପ ହୃଦେ            ଦିଏ ସନ୍ତାପ ତାର

ତାର ଦୟା ବହି । ଘୋଷା ।

(ବେଶ୍ୟାର ନୃତ୍ୟ ଓ ମଧ୍ୟେ ମଧ୍ୟେ ଜ୍ୟୋତିଷଙ୍କର ନୃତ୍ୟ)

 

ଗୀତ

 

କିଞ୍ଚିତେ ଚିତ୍ତେ            ଦୟା କରନ୍ତୁ ମୋତେ

ବଞ୍ଚିତ ହୋଇଛି ମୁଁ ପୀରତି ପଥେ ।

କୀରତି ରହୁ ଦିନେ            ସୁରତି ଦିଅ ଦିନେ

ତବ କିନ୍ତୁଟି ଆନ ନାହିଁ । ୧।

 

(ବାଦ୍ୟ ଶେଷରେ ବାବାଜୀ ଦ୍ୱାର ଦେଶେ ପ୍ରବେଶ ଓ ଡାକିବା)

ବାବାଜୀ

ହଇଲୋ ମା’, ଦ୍ୱାରଫିଟୁ ।

ଜ୍ୟୋତିଷ

ହେ, କିଏ ଗୋଟାଏ ଡାକିଲାଣି ?

ଚମ୍ପା

ତୁମ୍ଭର କ’ଣ ଗଲା ?

ବାବାଜୀ

କ’ଣ ଦ୍ୱାର ଖୋଲା ହେଉଛି ?

ଜ୍ୟୋତିଷ

ଆରେ ଏତ ରାଜସଭା ବାବାଜୀ, ଏ ଯଦି ମୋତେ ଦେଖେ, ଆଉ କ’ଣ ରକ୍ଷାଅଛି । ନିଶ୍ଚୟ ରାଜାଙ୍କ ଆଗରେ ପ୍ରକାଶ କରିଦେବ, ମୁଁ ଯିବି ।

ଚମ୍ପା

ଯାଉ ନାହଁ; ମୁଁ କଣ ବାନ୍ଧି ରଖିଛି ।

ଜ୍ୟୋତିଷ

ଗୋଟିଏ ତ ଦରଜା ସେଠାରେ ବାବାଜୀ ଅଛି, ମୁଁ ଯିବି କେଉଁବାଟେ । ମୋତେ କୌଣସି ଉପାୟରେ ରଖ, ଯେପରି ମୁଁ ଚିହ୍ନା ନ ପଡ଼େ । ହେ ଦାସୀ, ତୋ ଗୋଡ଼ତଳେ ପଡ଼ୁଛି ।

ଦାସୀ

ମଲା ମୋ ଗୋଡ଼ତଳେ ପଡ଼ୁଛ କାହିଁକି ମ ? ୟା କ’ଣ ଜାଣ ନାହିଁ, ଦାରି ଘରେ ବାରଘଇତା, ବାରଲୋକ ଯା’ ଆସ କରନ୍ତି ।

ଜ୍ୟୋତିଷ

ମୋତେ ସେ ଆଇନ ଦେଖାନା, ଏଥିରୁ ଉଦ୍ଧାର କର ।

ଚମ୍ପା

ଦାସୀ ! ୟାକୁ ଗୋଟିଏ ଶାଢ଼ୀ ପିନ୍ଧାଇ ମାଇକିନିଆ ବେଶରେ ଚୁଲି ପାଖରେ ବସାଇ ଦେ, ସେ ସେଠି ମୁଗ ଭାଜନ୍ତୁ ।

ଜ୍ୟୋତିଷ

ଠିକ୍ କଥା, ସେଇଆ ହଉ (ତଥାକରଣ) ।

ଚମ୍ପା

ଦାସୀ ଦ୍ୱାର ଖୋଲି ଦେ ।

ବାବାଜୀ

(ମଠ ବାଡ଼ି ଭାଙ୍ଗି ଠାକୁର ଏକ ମୂର୍ତ୍ତି ଓ ପ୍ରସାଦ ଘେନି ପ୍ରବେଶ) ଆଲୋ ମା’, ଏତେ ଡେରି କାହିଁକି ହେଲା ?

ଦାସୀ

ଘଣ୍ଟା ପରା ପାଞ୍ଚ ମିନିଟି ବାକି ଥିଲା ।

ବାବାଜୀ

ଆମେ ବାବାଜୀ ଲୋକ, କ’ଣ ବା ପାଇବୁ ! ଏ ସୁନା ଠାକୁର ମୂର୍ତ୍ତିଏ ନିଅ, ଆମକଥା ବୁଝିଲେ ଆମେ ପଳାଇବୁ ।

 

ଚମ୍ପା

ଗୀତ

(ହେ ଜୀବଧନ- ବୃତ୍ତେ)

ନବନାଗର, କିପାଁଇ ହୁଅ ତରତର । ଘୋଷା ।

ଭୁଞ୍ଜ ବିଡ଼ିଆ ପାନ            ଭାଷ ମଧୁ ବଚନ

ସୁସ୍ୱାଦୁ ପୀରତି ମନ୍ତର ।୧।

(ବାବାଜୀର ତନ୍ମୟ ନୃତ୍ୟ)

 

ଚମ୍ପା

ହଇହେ ରସିକେ ! ଏପରି ତରତର ହେଉଛ କିଆଁ ? ଏ ତରବରିଆ କାମ ନୁହେ ।

ଦୂତ

(ପ୍ରବେଶି) କଣ କବାଟ ଫିଟୁଛି ?

ବାବାଜୀ

ହଇ ଲୋ ମା’, ଦାଣ୍ଡରେ କିଏ ଡାକୁଛି !

ଚମ୍ପା

ବେଶ୍ୟା ଘରକୁ ବାର ଲୋକ ଆସନ୍ତି, ଆସିବେ, ସେଥିରେ ତୁମର କ’ଣ ଅଛି ।

ଦୂତ

ଓହୋ ! ମଶାଗୁଡ଼ାକ କାମୁଡ଼ି ପକାଇଲେ ।

ବାବାଜୀ

(ସ୍ୱଗତ) ଏ ତ ରାଜାଙ୍କ ଦୂତର ପାଟି ପରି ଶୁଣାଯାଉଛି, ଯେବେ ଆମ୍ଭଙ୍କୁ ସେ ଦେଖେ, ଆମ୍ଭ କଥା ଶେଷ । (ପ୍ରକାଶ୍ୟେ) ମା’, ରକ୍ଷାକର ତମ ହାତ ଧରୁଛି ।

ଦାସୀ

ତୁମେ ଯାଉ ନାହିଁ ? ସେଇ ବାଟେ ପାଖେଇ ହୋଇ ଚାଲିଯିବ ।

ବାବାଜୀ

ଆଲୋ ମରିବା କଥା କହୁଛୁ ! ତୋ ଗୋଡ଼ ତଳେ ପଡ଼ୁଛି, ମୋତେ କିଛି ଉପାୟରେ ଏଠୁ ରକ୍ଷାକର ।

ଦାସୀ

ବାବାଜୀ, ଆଜିଯାଏ ତ ବାବାଜୀ ହୋଇଥିଲ, ଆଜି ଏକା ମାତାଜୀ ସାଜିବାକୁ ପଡ଼ିବ ।

ବାବାଜୀ

କିଛି ଆପତ୍ତି ନାହିଁ, ଯାହା କରିପାରିବ ।

ଦାସୀ

ନିଅ, ଏ ଶାଢ଼ୀଟାକୁ ପିନ୍ଧି ସେ ଯେଉଁ ସ୍ତ୍ରୀ ଲୋକଟି ମୁଗ ଭାଜୁଛି ତା ନିକଟରେ ବସି ଚକି ପକାଇ ମୁଗ ରଗଡ଼ିବ ।

ବାବାଜୀ

ହେଲା ହେଲା, କିଛି ଓଜର ନାହିଁ । ମାଳିଗଢ଼ା ହେଉଥିଲା, ଏବେ ମୁଗ ରଗଡ଼ା ହେବ ସେଥିରେ କଣ ?

 

(ତଥାକରଣ)

ଦୂତ

ଆମ୍ଭେ ଫେରିଗଲୁ ।

ଚମ୍ପା

ଯା ଦାସୀ ! ଡାକି ଆ’ଣେ ।

ଦୂତ

ଓହୋ; ଓଳିଏ ହେଲା ଆସି ଆମେ ବଡ଼ ଦହଗଞ୍ଜ ହେଲୁଣି ।

ଚମ୍ପା

ବନ୍ଧୁ, ତୁମ୍ଭେ ଆସିବ ବୋଲି ମୋ ମନରେ କେବେ ବିଶ୍ୱାସ ନ ଥିଲା ।

ଦୂତ

ୟା ନା ଗୋଟାଏ କଥା, ଜବାବ୍ ନା ଥଟ୍ଟା ।

ଚମ୍ପା

ଗୀତ

(ହେ ସଖି ମନ ମଜ୍ଜାଇ- ବୃତ୍ତେ)

ପରତେ ନ ଥିଲା ମନେ ସତେ ବନ୍ଧୁ ଆସିବ ବୋଲି,

ମାରଶରେ ମରି            ଗଲିଣି ମୁଁ ସରି

ପାଶୋରି ଦେଲ ବୋଲି ଥିଲି ମୁଁ ଭାଳି । ପଦ ।

 

ବନ୍ଧୁ ! ତୁମ୍ଭ ଆସିବା ବିଳମ୍ବ ଦେଖି ଯାହାକି କଷ୍ଟ ଭୋଗିଲିଣି ତା ମୋ ମନ ଜାଣେ ।

 

ଦୂତ

(ଲମ୍ବହୋଇ ଗୋଡ଼ତଳେ ପଡ଼ି) ଅପ୍ରାଧ କ୍ଷମା କର, ମୋର ସେଟା ଭୁଲ ।

ଚମ୍ପା

ଗୀତ

ଯା ହେବାର ତ ହେଲାଣି ହେଉ,

କା ଆଗେ କହିବି ଆଉ

ଯାଉ ଯାଉ ଏ ଜୀବନ ଯାଉ

ପୁରୁଷ ଭ୍ରମର ସୁଭାବ ନିଷ୍ଠୁର,

କମଠ ପରାୟ ତାଙ୍କ ଦାଉ ।୨।

 

ଧିକ ତରୁଣୀ ଜୀବନକୁ, ପୁଣିଭାଷେ ବାଳାମଣି ବ୍ୟଥିତ ଥିଲି । ହଉ ତେବେ ପଲଙ୍କକୁ ଆସ ।

 

ଦୂତ

ଚାଲ, ଚାଲ ।

ରାଜା

କିଏ ଅଛି, କବାଟ ଖୋଲ ।

ଦୂତ

ମଲିରେ ବାବା, ମହାରାଜ ତ ଆସିଲେଣି ! ମୁଁ ଶଳା ଯିବି କୁଆଡ଼େ ? ହେ ଦାସୀ ! ମୋତେ କେଉଁବାଟେ ବାହାର କର ।

ଚମ୍ପା

ସେଥିରେ କ’ଣ ଅଛି, ତେମେ ବସୁନାହିଁ ।

ଦୂତ

ଆଲୋ ମୋ ବସିବା ପୋଡ଼ିଯାଉ, ତୁ ମୋତେ ଏଥିରୁ କେମିତି ଉଦ୍ଧାର କର ।

ଚମ୍ପା

ସେ ଦାସୀ ମୁଗ ରଗଡ଼ୁଛି, ୟାକୁ ଗୋଟିଏ ସ୍ତ୍ରୀ କରି ତା ନିକଟେ ବସାଇ ଦେ, ମୁଗ ପାଛୁଡ଼ୁ ଏ (ତଥାକରଣ)

 

(ରାଜାଙ୍କୁ ଦେଖି ଚମ୍ପା ଆଡ଼ ଆଡ଼ ହେବା)

ରାଜା

ବାଇସାହେବ, ଆସ ପଲଙ୍କକୁ ଆସ, ଆଡ଼ ଆଡ଼ ହେଉଛ କାହିଁକି ?

 

 

ଗୀତ

(ସଜ ସରୋଜ ମୁଖି- ବୃତ୍ତେ)

ଆଖି ରହିଲା ଲାଖି            ସଖି ବାରିଜାକ୍ଷିରେ

ଶଙ୍କା ନ କରି ଚଖା ପ୍ରୀତିରେ ।

ଉପଲକ୍ଷ୍ୟ ଦେବାକୁ            ଲକ୍ଷ୍ୟ ପାଉ ନାହିଁ ।

ତୋ ସମ କକ୍ଷ ନାହିଁ କ୍ଷିତିରେ । ପଦ ।

 

ହେ ସୁନ୍ଦରୀ ! ତୋ ପରି ରୂପବତୀ ସ୍ତ୍ରୀ ଏ ଜଗତରେ ମୁଁ ପ୍ରାୟ ଦେଖି ନ ଥିଲି । ଆସ ପଲଙ୍କକୁ ଆସ । ଲାଜ କାହାକୁ କରୁଛ ?

 

ଗୀତ

ରସରଙ୍ଗିନୀ ରସରଙ୍ଗ            କରି ତୋ ସଙ୍ଗ

କରକଞ୍ଜେ ତୋ କୁଚେ ମାତି ରେ ।

ମନ୍ଦର ଉରଜା            ତୋ ସୁନ୍ଦର ଅଙ୍ଗେ

ମଜି ଭଙ୍ଗ ନ ଦେବୁ ଆଜି ଜତି ରେ ।୧।

 

ସୁନ୍ଦରୀ ! ତୋ ରୂପ ଲାବଣ୍ୟ ଦେଖି ମନ୍ମଥ ଜ୍ୱାଳାରେ ଅଥୟ ହୋଇ ପଡ଼ିଲିଣି । ଆଉ କଷ୍ଟ ଦିଅନା, ଓଃ, ମୁଁ ଭୁଲିଛି ।

 

ଗୀତ

କୁନ୍ଦରଦନୀ ଧନୀ            ଧନ ନିଅ ରେ ଗଣି

ବଣିଜ ତୋର ବେଶ୍ୟାବୃତ୍ତି ରେ ।

ଆସ ମୋ ଅଙ୍କେ ବସ            ଦିଅ ସୁରତିରସ

ହେଉ ତୋହର ପ୍ରୀତି ଖ୍ୟାତିରେ ।୨।

 

ସୁନ୍ଦରୀ ! ତୋର ପ୍ରକୃତ ପାଉଣା ଗଣିନେ । ଆଉ ବିଳମ୍ବ କରନା ।

 

ଗୀତ

ଦୁଷ୍ଟ ମାର ପ୍ରତାପ            ଦିଏ ମୋତେ ସନ୍ତାପ

କିଞ୍ଚିତେ ଚିନ୍ତ ମୋହ ପ୍ରତି ରେ ।

ବ୍ୟସ୍ତ ନ କରି ସେସ୍ତ            ଦିଅ ନାଗରୀ ବର

ବାଳକୃଷ୍ଣ ଏ ରସକୁ ଚିନ୍ତିରେ । ୩।

 

ସୁନ୍ଦରୀ ! ବ୍ୟସ୍ତ କରନା, ଆସ, ମୋତେ ଏ ବିରହ ଜ୍ୱାଳାରୁ ଉଦ୍ଧାର କର ।

 

ଚମ୍ପା

ମହାରାଜ, ମୋର ଗୋଟିଏ ନିବେଦନ ଘେନା କରନ୍ତୁ ।

ରାଜା

ତୁମ୍ଭର କି ନିବେଦନ ?

ଚମ୍ପା

ଗୀତ

(ଆହାରେ ବିଧାତା କି ନ କଲୁ- ବୃତ୍ତେ)

ହେ ବୀରବିକ୍ରମ ନରଈଶ

କ୍ଷମା କର ବାରେ ଦାସୀ ଦୋଷ ।

ମୋ କର୍ମ ବିଫଳ            ହେଲା ଅମଙ୍ଗଳ

ଲଜ୍ଜା ହୁଏ କହିବାକୁ ଗୀର ।

ଆହେ ମହିପାଳ,

ବୃଥାହେଲା (ମୋର) ପରିଶ୍ରମ ଫଳ ।୧।

 

ମହାରାଜ, ଆପଣଙ୍କ ଆସିବାଟି ବୃଥା ହୋଇଗଲା ।

 

ରାଜା

କାରଣ କଣ ?

ଚମ୍ପା

ଗୀତ

ଅସ୍ପର୍ଶ ହୋଇଛି ଅଙ୍ଗ ମୋର

ତେଣୁ ସଙ୍ଗ ନ ଇଚ୍ଛେ ନାଗର,

ମୁଁ କୁସୁମବତୀ            ହୋଇଛି ନୃପତି

ତେଣୁ କରେ ଭୀତି କ୍ଷିତୀଶ୍ୱର

କର ପ୍ରତିକାର,

ଅନ୍ୟ ଦିନେ ହେବଟି ପ୍ରୀତି ସମର ।୨।

 

ମହାରାଜ ! ମୁଁ ଆଜି ପୁଷ୍ପବତୀ ହୋଇଛି । ମୋର ଅଙ୍ଗ ସ୍ପର୍ଶ କରିବା ଆପଣଙ୍କର ଉଚିତ ନୁହେ ।

 

ରାଜା

ସୁନ୍ଦରୀ ! ସେ କଥା କୁହନା, ଆସ ପଲଙ୍କକୁ ଆସ (ଛୁଇଁବାକୁ ଉଦ୍ୟତ) ।

ଦାସୀ

ମଲା, ୟା ନା ଗୋଟାଏ କଥା, ସେ ପରା ଅଲଗା ମଣିଷ । ତମ ପୁରୁଷମାନଙ୍କର ଟିକିଏ ବିଚାର ନାହିଁ । ସେଥିରେ ତୁମର ତୃଟି ।

ରାଜା

ସୁନ୍ଦରୀ, ସେ କଥା କହନା, ନିଶ୍ଚୟ ମୋର ଅଭିଳାଷ ପୂର୍ଣ୍ଣ କରିବାକୁ ହେବ ।

ଚମ୍ପା

ମହାରାଜ ! ଦିନ ତିନିଟା ଅପେକ୍ଷା କରିବାକୁ ପଡ଼ିବ ।

ରାଜା

ଗୀତ

(କହରେ ଛଇଳି- ବୃତ୍ତେ)

ନବଛଇଳା ମୋ ପ୍ରେମଶୀଳା

(ମୋତେ) ଭଳାଭଳି କଥା କହନା ରେ ।

କଳାକର ମୁଖି ସଖି ବାରିଜାକ୍ଷି

ମୋତେ ବିରହ ବାଧାରେ ଦହନା ରେ । ପଦ ।

 

ସୁନ୍ଦରୀ ! ସେ ଭୁଲାଭୁଲି କଥା ଛାଡ଼ି ଦିଅ, ଆସ ପଲଙ୍କକୁ ଆସ ।

 

ଚମ୍ପା

ମହାରାଜ ! ଆପଣ ନ୍ୟାୟପତି ହୋଇ ଅନ୍ୟାୟ କହିବା କଣ ଉଚିତ ହୋଇଛି ।

ରାଜା

ଗୀତ

ନବ ନବୀନା            ଦେଉ ଭାବନା

ତୋହ ବିନା ଆଉ ନାହିଁନା ରେ ।

ଶଶୀହାସୀ ଆସି            ମୋ ପଲଙ୍କେ ବସି

ତୋଷ ରୋଷ ଆଉ ବହନା ରେ ।୧।

 

 

ସୁନ୍ଦରୀ ! ତୋ ନିକଟରୁ ଫେରିଯିବା ପାଇଁ ମନ ହେଉ ନାହିଁ । ମୋତେ ନିରାଶ କରନା

 

ଚମ୍ପା

ମହାରାଜ ! ସେ ମୋ କର୍ମ ଦୋଷ, ଆଉ ସେଥିରେ ମାତନ୍ତୁ ନାହିଁ ।

 

 

ରାଜା

ଗୀତ

ନବସପ୍ତ ବୟସୀ            ଛନ୍ଦ ନ କର ବେଶୀ

ମନ୍ଦ ନେତ୍ରେ ତୁ ଆଉ ଚାହାଁନା ରେ ।

ବାଳକୃଷ୍ଣ ଭଣି            ଆସ ରାମାମଣି

ରତିରସେ ମତି ମୋହନା ରେ ।୨।

 

 

ସୁନ୍ଦରୀ ! ଆଉ ହଟହଟା କରନା, ମୋତେ କିଛି ବୁଦ୍ଧି ବାଟ ଦେଖା ଯାଉ ନାହିଁ ।

ଚମ୍ପା

ମହାରାଜ ! ମୁ ଗୋଟିଏ ଉପାୟ ଦେବି ।

ରାଜା

କି ଉପାୟ ।

ଚମ୍ପା

ଦାସୀ ! ତୁ ରାଜାଙ୍କ ଅଭିଳାଷ ପୂର୍ଣ୍ଣ କର ଯା, ମୋ ରାଣଟି ।

ଦାସୀ

ସେଇଆ କହୁନା; ତିନି ଦିନ ହେଲା ଜର ସର୍ଦ୍ଦିରେ ମୋ ଅବସ୍ଥା ଗଲାଣି ଅଣ୍ଟା ଡେରି ଠିଆ ହେବାକୁ ବଳ ପାଉ ନାହିଁ, ତମର ପୁଣି ବରାଦ ।

ଚମ୍ପା

(ଜ୍ୟୋତିଷ ଆଦିମାନଙ୍କ ପ୍ରତି ଲକ୍ଷ୍ୟ କରି ରାଜା ପ୍ରତି ।)

 

ଗୀତ

ଏ ଯେତେ ମୋହର            ସହଚରି ମାର

ତାପ ହର ପ୍ରୀତିକରି,

ଦଇବର ଦ୍ୱନ୍ଦ୍ୱ            ଭାଙ୍ଗିଲା ମୋ ସଧ

ଆହାର ମୁଖେ ପାହାର ଦେଇ,

କ୍ଷମ ନରସାଇଁ ।

ବାଳି ବୋଲେ ସୁଖେ ଦିଅ ନିଶି ସ୍ୱାହି ।୩।

 

ମହାରାଜ ! ଏ ଯେ ନୂଆ ଦାସୀମାନେ ଅଛନ୍ତି, ଏମାନଙ୍କ ମଧ୍ୟରୁ ଯେ ଆପଣଙ୍କ ମନୋନୀତ ହୁଏ ତାର ସହିତ ପ୍ରେମାଳାପ କରି ଆଜି ରାତିଟା ଦୁଃଖେ ସୁଖେ କଟାଇ ଦିଅନ୍ତୁ, (ଦାସୀ ପ୍ରତି) ଆସିଲୁ ।

 

ରାଜା

(ଚାରିଜଣଙ୍କ ପ୍ରତି) ଦାସୀଗଣ ! ତୁମ୍ଭମାନଙ୍କ ମଧ୍ୟରୁ ସୁନ୍ଦରୀ କିଏ ଶୀଘ୍ର ଉଠି ଆସ ।

(ସମସ୍ତଙ୍କ ଥରିବା ଅଭିନୟ)

 

ରାଜା

ଗୀତ

(ତାଳ ଛପକା)

ଆସ ଆସ ରେ ନାଗରୀହୀରା,

ସର୍ବରୀ ଆସି ଶେଷ ହୋଇ ଯାଉଛି ପରା । ପଦ ।

 

ସୁନ୍ଦରୀ ! ବେଶ୍ୟା ହୋଇ ଲଜ୍ଜା କଣ କରୁଛ । ଆଉ ରାତି ବେଶି ନାହିଁ ଆସ ଶୀଘ୍ର ଆସ ।

 

ଗୀତ

କାମ କୋଦଣ୍ଡେ ପିଣ୍ଡ            ହେଉଛି ଖଣ୍ଡ ଖଣ୍ଡ;

ଚାଣ୍ଡେ ଆସି ମୋ ଗଣ୍ଡେ ଚୁମ୍ବନ ଦିଅ ପରା ।୧।

 

ହେ ସୁନ୍ଦରୀ ! ତୁମ୍ଭେମାନେ କ’ଣ ବେଶ୍ୟାବୃତ୍ତି କରି ନାହଁ ? (ରାଜା ଜ୍ୟୋତିଷ ହାତ ଧରି)

 

ଗୀତ

ପିନ ଉରଜା ମାନ

ନ କର ନାରୀ ରତନ,

ହଜିଲାଣି ମୋର ଜ୍ଞାନ

ବାଳିରେ ନାହିଁ ଚାରା ।୨।

ଆସ, ଉଠିଆସ । ଭୟ କାହାକୁ ?

 

ଜ୍ୟୋତିଷ

(ଅସ୍ତବ୍ୟସ୍ତ ହୋଇ) ରକ୍ଷାକର ମହାରାଜ ! ମୁଁ ଗୋଟାଏ ଭୁଲ କାମରେ ପଡ଼ି ଯାଇଛି ।

ରାଜା

ଜ୍ୟୋତିଷେ ! ଲଜ୍ଜା ବୋଧ ହେଲା ନାହିଁ, ସ୍ତ୍ରୀଗୁଡ଼ାକ ପାଖରେ ବସି କି କାର୍ଯ୍ୟ କରୁଥିଲ ?

ଜ୍ୟୋତିଷ

ମୁଗ ଭାଜୁଥିଲି ।

ରାଜା

ଛି, ଛି, (ବାବାଜୀ ପ୍ରତି) ଆସ ତୁମ୍ଭେ ଆସ ।

 

(ଏକ ସମୟରେ ତିନିଜଣଙ୍କୁ ଉଠାଇବା)

 

ଏ କି ଅଦ୍ଭୁତ କାଣ୍ଡ, ସେ ସ୍ତ୍ରୀ ଗଲା କୁଆଡ଼େ ?

ଗୀତ

(ଗାଇବି କି ଗାନ - ବୃତ୍ତେ)

କେଣେ ଗଲା ଗୋରୀ            ସେ ନବ ନାଗରୀ

ସୁଚତୁରୀ ଯବାଧରା ରେ । ଘୋଷା ।

 

ଦୂତ

ଜ୍ୟୋତିଷେ ସେ ରମଣୀ କୁଆଡ଼େ ଗଲା ?

ରାଜା

ଗୀତ

ମୃଗତୃଷ୍ଣାକୁ ମୁଁ ମଣିଲି ସଲୀଳ

ପ୍ରୀତି ସୁଧା ଭ୍ରମେ ଭକ୍ଷିଲି ଗରଳ,

ଛାର ନାରୀ ଜାତି ଦେଲା ଅପଖ୍ୟାତି,

ସହି ନୁହେ ଲଜ୍ଜା ଭାରା ରେ ।୧।

 

ଦୂତ ! ମରୀଚିକାକୁ ଜଳ ମନେକରି ପିଇବାକୁ ଯାଇ ବର୍ତ୍ତମାନ ଘୋର ବିପଦରେ ପଡ଼ିଲି, (ଜ୍ୟୋତିଷ ପ୍ରତି) ଜ୍ୟୋତିଷେ ! ସେ ସ୍ତ୍ରୀ କିଏ, ତାର ବୁଦ୍ଧି ତ ବଡ଼ ସରସ ।

 

(ଜ୍ୟୋତିଷ ପ୍ରଭୃତିଙ୍କ ଗୀତ)

କ୍ଷମାକର ମଣିମା ବୁଦ୍ଧି

 

ବଣାକଲା ଆଣି ନାଗରିମଣି,

ଜାଣି ନ ଥିଲୁ ତା            ଚତୁରଙ୍ଗୀ କଥା

ଟଙ୍କା ଗୁଡ଼ା ଦେଲୁ ଗଣି । ପଦ ।

 

ମହାରାଜ ! କଣ କହିବୁଁ, ଟଙ୍କାଗୁଡ଼ାକ ଅକାରଣ ଗଣିଦେଲୁ ।

 

ରାଜା

ତୁମ୍ଭେମାନେ ସେହିପରି ଅବିବେକୀ, ନୋହିଲେ କି ଏପରି ଅବସ୍ଥା ହୋଇଥାନ୍ତ !

ସମସ୍ତେ

ମହାରାଜ ! କଣ କରିବୁ ?

 

ଗୀତ

ପ୍ରତି ଫାନ୍ଦେ ପଡ଼ି ତ ବୁଡ଼ି ମଲୁ

 

ଆମ୍ଭେ ସ୍ୱଧର୍ମ ହୁଡ଼ି ଛଦ୍ରମ ତାହାର ନ ଜାଣିଲୁ

ଗୀର ବଳେ ଗଳେ ଛୁରୀ ଦେଲୁ ଯା ଆଣି ।୧।

 

 

ମହାରାଜ ! ଆମ୍ଭେମାନେ ଏତେ ଛନ୍ଦ ଜାଣୁନାହୁଁ । ଆପଣ ଜାଣନ୍ତି, ଏ କାଣ୍ଡ ତାହାଦ୍ୱାରା ହୋଇଛି ।

 

ରାଜା

କାହାଦ୍ୱାରା ।

ସମସ୍ତେ

ଗୀତ

ମନ୍ତ୍ରୀ କରି ଏତେ ଫିକର

ଦେଖାଇଛି ନାରୀ କୌଶଳ

ରକ୍ଷାକର ବୀର            ଶିଖିଲୁ ଏଥର

ବାଳାମଣି ଗୁଣ ହେଉଛୁ ଝୁରି ।୨।

 

ମହାରାଜ ! ମନ୍ତ୍ରୀ ଅପମାନ ଦେବାକୁ ଏତେ ଫିକର କରିଛି ।

 

ରାଜା

ଜ୍ୟୋତିଷ, ମନ୍ତ୍ରୀଦ୍ୱାରା ଏତେ କାଣ୍ଡ ! ଆଉ ରକ୍ଷା ନାହିଁ ।

ରାଜା

ଗୀତ

ଧରି ମନ୍ତ୍ରୀ ଆଜି ହରିବି ତା ଧୃତି,

ସାରିବି ଗାରିବା ତେବେ ହୃଦ ଶାନ୍ତି

ଯଶ ହେଉ ନୋହୁ ସାଧିବିଟି ଦାଉ

ବାଳକୃଷ୍ଣ କହେ ସଭାରେ । ୨।

 

ଦୂତ ! ତୁ ଶୀଘ୍ର ଯା ମନ୍ତ୍ରୀକୁ ଘେନି ସଭାରେ ପହଞ୍ଚିବୁ, ମୁଁ ମୁର୍ଖର ପାପର ପ୍ରତିକାର ବାଟ ଦେଖିବି ।

(ସମସ୍ତଙ୍କର ପ୍ରସ୍ଥାନ)

 

ତୃତୀୟ ଅଙ୍କ

୧ମ ଦୃଶ୍ୟ

(ରାଜସଭା)

ରାଜା

ମନ୍ତ୍ରୀନ୍ ! ନାରୀର ଚାତୁରୀ ଦେଖାଇବା ପାଇଁ ଫାନ୍ଦି ଥିଲୁ ଯେଉ ଫାନ୍ଦ ଜାଣିଛିରେ ମୁହିଁ । ଏଣିକି ମୋ ଆଜ୍ଞା ଯାହା କର ତୁ ଶ୍ରବଣ, ବାସଗୃହ ଏକ ମୋର କରିବୁ ନିର୍ମାଣ । ଭୂମିରୁ ଦ୍ୱାଦଶ ହାତ ହୋଇଥିବ ଛଡ଼ା, ଖମ୍ବ କିବା କାନ୍ଥ ତହିଁ ନ ହେବଟି ଲୋଡ଼ା । ଦୁଇଦିନ ମଧ୍ୟେ ଏହା କରିବୁ ଗୋଚର, ନୋହିଲେ ସର୍ବଶେ ତୋତେ ବସାଇବି ଶୂଳେ ।

ମନ୍ତ୍ରୀ

ମହାରାଜ, ଅସମ୍ଭବ ଏହା, କ୍ଷମା କରନ୍ତୁ ଅଧୀନେ ଅସାଧ୍ୟ ଅଟଇ ଏହା ମାନବ ପକ୍ଷରେ ।

ରାଜା

ସେକଥା ଶୁଣିବି ନାହିଁ, ଯା ମୂର୍ଖ । (ପ୍ରସ୍ଥାନ)

ମନ୍ତ୍ରୀ

ଭଗବାନ, ପୁଣି ଏ ବିପଦରେ ମୋତେ କାହିଁକି ପକାଉଛନ୍ତି ? ଏ ଅସମ୍ଭବ କଥା ବା ସମ୍ଭବିବ କିପରି, ମୁ ରାଜାଙ୍କୁ ଦେଖାଇବି ? ତେବେ ଯାଏ, ସେହି କନ୍ୟାର ନିକଟ, କରିପାରେ ଯଦି କିଛି ୟାର ପ୍ରତିକାର । (ପ୍ରସ୍ଥାନ)

 

୨ୟ ଦୃଶ୍ୟ

(ମନ୍ତ୍ରୀ ଗୃହ)

(ଚମ୍ପା, ବିରୁପାକ୍ଷ ଓ କନକ)

ଚମ୍ପା

ପିତା ! ଆଜି ରାଜା ବରବାରକୁ ଡକାଇ କଣ କହିଲେ କି ? ମୋ ମନରେ କିପରି ସନ୍ଦେହ ଆସୁଛି ।

 

ମନ୍ତ୍ରୀ

ଗୀତ

(ଧକା ଦେଇ ୟାକୁ- ବୃତ୍ତେ)

ବିଧି ଆଜି ବୁଦ୍ଧି କଲାଣି ବଣା,

ଅସାଧ୍ୟ କଥାକୁ ସ୍ମରିଲା ବେଳକୁ

ସହି ନୁହେ ପ୍ରାଣେ ଦିଏ ଯାତନା । ପଦ ।

 

ଚମ୍ପା ! ରାଜା ଆଜି ଯେଉଁ ଅସାଧ୍ୟ କଥା କହିଛି, ତା ସ୍ମରଣ କଲାବେଳକୁ ହୃଦୟ ବିଦୀର୍ଣ୍ଣ ହୋଇଯାଉଛି ।

 

ଚମ୍ପା

କି କଥା, ପିତା ?

 

ମନ୍ତ୍ରୀ

ଗୀତ

ଆଜ୍ଞା କରିଛି ନୃପରାଣ,

ଗୃହ ଏକ ହେବ ନିର୍ମାଣ

ବିନା କାନ୍ଥ ସ୍ତମ୍ଭେ ରହିଥିବ ଦମ୍ଭେ,

ହାଦଶ ହାତରୁ ନ ହେବ ଊଣା ।୧।

 

ଚମ୍ପା ! ଗୋଟିଏ ଘର ତିଆରି ହେବ, ସେଥିରେ କାନ୍ଥ କିମ୍ବା ଖୁଣ୍ଟି ଲାଗିବ ନାହିଁ, ଘରଟି ବାରହାତ ଭିତରେ ରହିଥିବ ।

 

ଚମ୍ପା

ପିତା ! ଏଇଥି ଲାଗି ଏତେ ଭାବନା ।

ମନ୍ତ୍ରୀ

ଗୀତ

ଏଥକୁ ମୁଁ ମରୁଛି ଭାଳି,

ବୁଦ୍ଧି ଦିଅ ମୋତେ ଦୁଲ୍ଲାଳି,

ସିଦ୍ଧି ଜଗିବାକୁ ବିଧି ଲେଖିଅଛି

ଦୀନ ବାଳକୃଷ୍ଣ କଲା ରଚନା ।୨।

 

ଚମ୍ପା ! କି ଉପାୟ କରିବି ? ମୋତେ କିଛି ବୁଦ୍ଧିବାଟ ଦିଶୁ ନାହିଁ ।

 

ଚମ୍ପା

ନ ହୁଅ ଚିନ୍ତିତ ତାତ, ଜାଣେ ମୁହିଁ କଉଶଳ, ବୁଦ୍ଧିବଳେ ଚେତାଇବି ବିକ୍ରମ ମହିପାଳ । ଯାହା ଯାହା ଦ୍ରବ୍ୟ ଲୋଡ଼ା କର ଆୟୋଜନ, ଏ ଛାର କଥାକୁ କିପାଁ ହୁଅନ୍ତି ବିଷଣ୍ଣ ?

ମନ୍ତ୍ରୀ

ଚମ୍ପା ! ତେବେ କଣ ଲୋଡ଼ା ?

ଚମ୍ପା

କିଛି ବଡ଼ମାଛ ଦରକାର ।

ମନ୍ତ୍ରୀ

ହଉ, ମୁଁ ବର୍ତ୍ତମାନ କେଉଟମାନଙ୍କୁ ଡାକି ଦେଉଛି, ସେମାନେ ମାଛ ଦେଇ ଯିବେ । (ପ୍ରସ୍ଥାନ)

 

୩ୟ ଦୃଶ୍ୟ

(ଗ୍ରାମ ପଥ)

(ଚମ୍ପା ଓ ଜନକ କେଉଟୁଣୀ ବେଶେ)

ଗୀତ

(ଖାଣ୍ଟି ମରହଟ୍ଟୀ- ବୃତ୍ତେ)

ଉଭୟେ- ଆସ କେ ନେବ ମାଛ ଗୋ,

ନବ ନାଗରୀମଣି । ଘୋଷା ।

ଆସ ଗୋ ଆସ, କିଏ ମାଛ ନବ ଆସ

ଆଜି ସଜ ମରା ଭାକୁଡ଼, ପୋହଳା,

ଖାଇ ପ୍ରେମିକ ହେବେ ଗୁଣି ଗୋ । ୧।

 

ନିଅ ଗୋ, ରୋହି ଭାକୁର, ପୋହଳା, ଅଇଛିକା ମରା ହୋଇ ଆସିଛି ।

 

ଗୀତ

କହି ନୁହେଁ ମଜା ବୃଦ୍ଧ ହେବେ ଯୁବା,

ଖୋଜିଲେ ନାହିଁ ବାଳି ଇଶି । ୨।

 

ମୋ ମାଛ ଯଦି ପ୍ରେମିକମାନେ ଖାଇବେ, ତାଙ୍କର ପ୍ରେମର ଉଦୟ ହୋଇ ପଡ଼ିବ ।

 

ଚମ୍ପା

ହଇଲୋ ବଉଳ ! ରାଜ୍ୟ ଯାକ ତ ବୁଲିଲେ, କାହିଁ କେହି ତ ଏ ପର୍ଯ୍ୟନ୍ତ ବହନି କଲେ ନାହିଁ ? ଚାଲ ରାଜାଙ୍କ ସଭା ନିକଟକୁ ଯିବା ।

ଦୂତ

(ସ୍ୱଗତ) ଏ ଦିଓଟି ସ୍ତ୍ରୀ କିଏ କଣ ବିକି ଆଣିଛନ୍ତି, (ପ୍ରକାଶ୍ୟେ) ହଇ ହେ, ତୁମ୍ଭେମାନେ କଣ ଆଣିଛ ?

ଚମ୍ପା

ଆପଣ ନେବ କି ? ବଡ଼ମାଛ ଅଛି । ରୋହି, ଭାକୁର, ପୋହଳା, ବାଳିଆ ଏଇ ସବୁ ଅଛି ।

ଦୂତ

ଆଚ୍ଛା, ମୁଁ ମହାରାଜାଙ୍କୁ ପଚାରେ ।

 

(ଦୂତ ପ୍ରସ୍ଥାନ ଓ ରାଜାଙ୍କୁ ଅଭିବାଦନ)

ରାଜା

ଦୂତ ! କି ଖବର ?

ଦୂତ

ମହାରାଜ ! ଦୁଇଜଣ କେଉଟୁଣୀ ବଡ଼ ବଡ଼ ମାଛ ଆଣିଛନ୍ତି ।

ରାଜା

ବଡ଼ ମାଛ ? ଚାଲିଲୁ ଦେଖିବା ।

ଚମ୍ପା

ଗୀତ

(ଆଲୋ ଦୁରାଚାରୀ- ବୃତ୍ତେ)

ଆସ ନୃପମଣି କରନ୍ତୁ ବହନି, ଜାଣିଣ କରନ୍ତୁ ମୂଲ

ବୁଲି ବୁଲି ମୁଁ ତ ହେଲିଣି ଥକିତ ବୁଡ଼ି ତ ଗଲାଣି ବେଳ

ଘରେ ହେବେଣି ରୋଷ,

ଦୟା କରନ୍ତୁ ମୋତେ ନରେଶ ।୧।

 

ମହାରାଜ ! ଖୁବ୍ ଭଲ ବଡ଼ମାଛ ଅଛି । ଆପଣଙ୍କ ହାତ ଲାଗିଲେ ଅନ୍ୟଠାରେ ବିକ୍ରି କରିବି ନେଇ ।

 

ରାଜା

ଗୀତ

ରମଣୀ ରତନ କରରେ ଓଜନ

ବିଶା ତୁ ଯତନେ ଧରି

ଅନାଇ ଧର୍ମକୁ କହିବୁ ମୂଲ୍ୟକୁ,

ତିଳେ କପଟ ନ କରି,

ପୁଣି ପଦେ (ପଦେ) କଥାରେ,

ଧନ ଗଣି ନେଇ ମାଛ ଦିଅ ମୋରେ ।୨।

 

ହେ ତରାଇ ଘର ଝିଅ ! ସେଥିରୁ ଦୁଇଟା ମାଛ ଓଜନ କର । ଏ ଦୁହିଁଙ୍କ ଦର କଣ ପଡ଼ିବ ?

 

ରାଜା

ଗୀତ

ସେର ବାରଅଣା ଖରିଦି ମୋ କିଣା,

ଅଣାକ ପାଇଁ ବେଭାର

ସାତପ୍ରାଣୀ ଘେନି ଘର ମୁଁ କରୁଛି

କରନ୍ତୁ ଯାହା ବିଚାର ।

ଆହେ ନୃପ ଶେଖର,

ବଳମ୍ବରେ ତ୍ରୁଟି ହୁଏ ମୋର ।୩।

 

ମହାରାଜ ! ବାରଅଣା ମୋର ଖରିଦ ପଡ଼ିଛି । ଆପଣ ବିଚାର କରି ଯାହା ଲାଭ ଦେବେ ।

 

ରାଜା

ଆଚ୍ଛା, ଓଜନ କର ।

ଚମ୍ପା

(ପରୁଡ଼ି କି ଡ଼ୋର ନ ଥିବା ବିଶାରେ ଓଜନ କରିବା) ମହାରାଜ ! ପାଞ୍ଚ ବିଶା ହେଲା ।

ରାଜା

ଗୀତ

ହେଲୁ କି ବାତୁଳୀ କଇବର୍ତ୍ତ ଦୁଲାଳି

ଛଦ୍ରମ କରୁଛୁ କେତେ

ପରୁଡ଼ି କି ଡୋର ନାହିଁ ଏ ବିଶାର

ଓଜନ ଦେଉ କେମନ୍ତେ

ଅସମ୍ଭବ କଥାରେ,

ଦେଖା ଶୁଣା ନାହିଁ (ଯାହା) ଦୁନିଆରେ ।୪।

 

ହଇଲୋ ତରାଇ ଘର ଝିଅ ! ଏ କି ଅନ୍ୟାୟ କଥା । ଏ ବିଶାରେ ତ ପରୁଡ଼ି କିମ୍ବା ଡୋର ନାହିଁ, ଓଜନ ହେଉଛି କିପରି ? ଆମ୍ଭଙ୍କୁ କଣ ଭଣ୍ଡାଉଛୁ ?

 

ଚମ୍ପା

ଗୀତ

ଧାର୍ମିକ ରାଜନ ତୁମ୍ଭେ ଜ୍ଞାନବାନ

ଜାଣନ୍ତି ଜଗତ ନରେ

ପିଲା ବୋଲି ମୋତେ ଭଣ୍ଡାଉଛ କେତେ

ସଙ୍କେତ ନିଅନ୍ତୁ ଥରେ,

ବିନା କାନ୍ଥ ସ୍ତମ୍ଭରେ ।

ଘର ହୋଇଲା କେଉଁ ପ୍ରକାରେ ।୫।

 

ମହାରାଜ ! ଆମ୍ଭମାନଙ୍କୁ ପିଲା ଦେଖି ଭୁଲାଇ ଦେଉଛନ୍ତି ! ଯାହାର ରାଜ୍ୟରେ ବିନା କାନ୍ଥ ଖୁଣ୍ଟରେ ଘର ତିଆରି ହୋଇପାରେ, ସେ ରାଜ୍ୟରେ ପରୁଡ଼ି ବିଶାରେ ନ ଥାଇ ଓଜନ ହେବାଟା କଣ ଆଶ୍ଚର୍ଯ୍ୟ ?

 

ରାଜା

ଦୂତ ! ପ୍ରକୃତ କଥା । ରାଜା ଯାହା କରିବେ ପ୍ରଜାଏ ତ ଅନୁକରଣ କରିପାରନ୍ତି । ତେବେ କେଉଟୁଣୀ କଥା ଅନୁସାରେ କଣ ଦାମ ଦେଇ ମାଛ ଖରିବ କରିବା ? ନା ଏଟା ସମ୍ପୂର୍ଣ୍ଣ ଭୁଲ ।

 

ଗୀତ

ନକର ପ୍ରଘଟ କୈବର୍ତ୍ତ ଦୁହିତ

କଲୁ ପରାଜିତ ମୋତେ

ଏ କଥାକୁ ଆଉ ନ ଜାଣନ୍ତୁ କେହି

ଲେଖା ମୁଁ ଦେଇଛି ତୋତେ

ବାଳକୃଷ୍ଣ ବିଚାର,

ଲୋଡ଼ା ନାହିଁ ମୋର ଆଉ ଶୂନ୍ୟଘର ।୭।

 

ହେ ତରାଇ ଝିଅ ! ମୋର ଶୂନ୍ୟଘର ଆଜିଠାରୁ ବନ୍ଦ ହେଲା, ତୁ ଆଉ ଅନ୍ୟାୟ ବିକ୍ରି କରନା ।

 

ଚମ୍ପା

ହଉ, ମହାରାଜ ! (ପ୍ରସ୍ଥାନ)

ରାଜା

ଦୂତ ! ସାମାନ୍ୟ କେଉଟୁଣୀଟାଏ ମୋର କେଡ଼େ ବଡ଼ କଥା ରଦ କରିଦେଲା !

ଦୂତ

ମହାରାଜ ! ସେ କେଉଟୁଣୀ ହେଲେ କଣ ହେଲା, ତାର ବୁଦ୍ଧିଟା ଭାରି ସରସ ।

ରାଜା

ଦୂତ ! ଏ କାଣ୍ଡ ମନ୍ତ୍ରୀଦ୍ୱାରା ହୋଇଛି କି ?

ଦୂତ

ହଁ ମହାରାଜ ! ପ୍ରକୃତ କଥା, ନିଶ୍ଚୟ ମନ୍ତ୍ରୀର ଫିକର ହୋଇଥିବ ।

ରାଜା

ଗୀତ

(କାହାଭାବେ ମଜ୍ଜି- ବୃତ୍ତେ)

ଧନ୍ୟ ସେ ରମଣୀ ରସା କଲା ଲୋକହସା,

ହାସ କରି ନାଶ କଲା ମୋର ସର୍ବ ଆଶା ।୧।

 

ଦୂତ ! ମୋର କେତେ ବଡ଼ ପ୍ରତିଜ୍ଞାଟା ସାମାନ୍ୟ ସ୍ତ୍ରୀ ଭାଙ୍ଗି ଦେଇଗଲା, ବର୍ତ୍ତମାନ ଅନ୍ୟ ଏକ ଉପାୟ କରିବି ।

 

ଗୀତ

ବାର୍ତ୍ତାବହ ବାର୍ତ୍ତା ନେଇ ଜଣାଅ ମନ୍ତ୍ରୀରେ

ଦିବ୍ୟ ସରୋବର ଏକ ଖୋଳୁ ମୋ ରାଜ୍ୟରେ ।୨।

 

ଦୂତ ! ବର୍ତ୍ତମାନ ମନ୍ତ୍ରୀକୁ କହ ଗୋଟିଏ ସୁନ୍ଦର ପୁଷ୍କରିଣୀ ମୋ ରାଜ୍ୟରେ ଖୋଳୁ ।

 

ଦୂତ

ହଉ ମହାରାଜ !

ରାଜା

କିପରି ଖୋଳିବ ଜାଣୁ ?

ଗୀତ

ବିନା ଅସ୍ତ୍ରେ ବିନା ଯନ୍ତ୍ରେ କରିବ ଖନନ,

ବାଳକୃଷ୍ଣ ବୋଲେ କାଲି କରିବି ସ୍ନାହାନ ।୩।

 

ଦୂତ ! ସେ ପୋଖରୀ ଖୋଳାହେବ ତହିଁରେ କୌଣସି ଯନ୍ତ୍ର କି ମୂଲିଆ ଲାଗିବେ ନାହିଁ । ମୁଁ କାଲି ସେ ପୁଷ୍କରିଣୀରେ ସ୍ନାହାନ କରିବ । (ପ୍ରସ୍ଥାନ)

 

ଚତୁର୍ଥ ଅଙ୍କ

୧ମ ଦୃଶ୍ୟ

(ମନ୍ତ୍ରୀ ଗୃହ)

ମନ୍ତ୍ରୀ

ଦୂତ ! ତୋର ଏ ଅସମୟରେ ଆସିବା କାରଣ କଣ ?

ଦୂତ

ମହାରାଜାଙ୍କର ଆଦେଶ ହୋଇଛି, ଆଜି ରାତି ମଧ୍ୟରେ ଗୋଟିଏ ପୁଷ୍କରିଣୀ ଖୋଳାହେବ, ସେଥିରେ କାଲି ସକାଳୁ ମହାରାଜ ସ୍ନାନ କରିବେ । ସେ ପୁଷ୍କରିଣୀ କୌଣସି ମୂଲିଆ ଦ୍ୱାରା ଖୋଳାହେବ ନାହିଁ କି ହତିଆର କିଛି ଲାଗିବ ନାହିଁ । ମୁଁ ଆସୁଛି । (ପ୍ରସ୍ଥାନ)

ମନ୍ତ୍ରୀ

ଚମ୍ପା ! ଶୁଣିଲୁ ତ, ଆଉ ବଳ ନାହିଁ, ଏଇଥର କଥା ସରିଲା ।

ଚମ୍ପା

କିଛି ଭାବନା ନାହିଁ, ମୁଁ ତାର ପ୍ରତିକାର କାଟ ନିଶ୍ଚୟ କରିବି । (ପ୍ରସ୍ଥାନ)

୨ୟ ଦୃଶ୍ୟ

(ରାଜପଥ)

ରାଜା

ଦୂତ ! ଚାଲ ସ୍ନାନ କରିବାକୁ ଯିବା, ଏଇଥର ମନ୍ତ୍ରୀ ନିଶ୍ଚୟ ଠକିଯିବ ।

ଦୂତ

ଆଜ୍ଞା ମହାରାଜ ! ଆଉ ପାରିବେ ନାହିଁ । (ଚମ୍ପା ଓ ପୁରୁଷ ବେଶୀ କନକ ଜ୍ୱରରେ ଥର, ଥର କୂପ ନିକଟେ ମାଠିଆ ଘେନି)

ଚମ୍ପା

ଓହୋ ! କଣ କରିବି ? ଆଉ କେଉଁଆଡ଼େ ଯିବି ? ବିଧାତା ମୋତେ କାହିଁକି ଏ ଦହଗଞ୍ଜରେ ପକାଇଲୁ ?

ଜ୍ୱରୁଆ

ଆଲୋ, ଧଅଲୋ, ମରିଗଲି ଲୋ, ମୋ ଅଣ୍ଟା ଧ’ର, ଶାଳୀ କୁଆଡ଼େ ଗଲୁ ଲୋ ?

ଚମ୍ପା

ମୁଁ ପରା ଏଇଠି ଅଛି, ଧରିଛି ତ ଆଉ କଣ କରିବି ?

ଜ୍ୱରୁଆ

ଆଲୋ ବୋପାଲୋ, ଆଲୋ ମାଆଲୋ ମରିଗଲି ଲୋ ।

ରାଜା

ଦୂତ, ଦେଖିଲୁ କିଏ ଗୋଟିଏ ଲୋକ ଏପରି ବ୍ୟସ୍ତ ହେଉଛି କାହିଁକି ?

ଦୂତ

ହଇହେ, ତୁମ୍ଭେ କିଏ ?

ଚମ୍ପା

ତୁମ୍ଭେ କିଏ ବାପା, ଆମକୁ ଟିକିଏ ଭଲା ଭରଷା ହୁଅନ୍ତ ।

ଦୂତ

ମୁଁ ଏ ରାଜ୍ୟର ରାଜାଙ୍କ ଦୂତ ।

ଚମ୍ପା

ବାପା ! ତୁମ୍ଭର ରାଜା କୋଉଠି ଅଛନ୍ତି ?

ଦୂତ

ରାଜା ଆମ୍ଭର ଏଠି ନିକଟରେ ଠିଆ ହୋଇଛନ୍ତି । ତୁମ୍ଭର କାତର ଡାକ ଶୁଣି ମୋତେ ତୁମ୍ଭ ନିକଟକୁ ପଠାଇଲେ ।

ଚମ୍ପା

ହେ ବାବୁ ! ତୁମ୍ଭ ରାଜାଙ୍କୁ କହ, ମୋତେ ସେ ଏ ବିପଦରୁ ଉଦ୍ଧାର କରନ୍ତୁ ।

ଦୂତ

ହଉ ମୁଁ କହୁଛି (ରାଜାଙ୍କ ନିକଟକୁ ଫେରିଆସି) ମହାରାଜ ! ଗୋଟିଏ ସ୍ତ୍ରୀ ଓ ଗୋଟିଏ ପୁରୁଷ କାତରରେ ଆପଣଙ୍କ ସାହାଯ୍ୟ ଲୋଡ଼ୁଛନ୍ତି ।

ରାଜା

ହଉ, ଚାଲିଲୁ ଦେଖିବା (ରାଜାଙ୍କର ପ୍ରବେଶ) ।

ଚମ୍ପା

ମହାରାଜ ! ଅନେକ ଦୂରରୁ ଆପଣଙ୍କ ଖ୍ୟାତି ଶୁଣି ପ୍ରାଣ ବିକଳରେ ଆସିଛି, ଆପଣ ଏ ବିପଦରୁ ରକ୍ଷା କରନ୍ତୁ ।

ଜ୍ୱରୁଆ

ଆଲୋ ମଲି ଲୋ, ଶାଳୀ ଗଲୁ କୁଆଡ଼େ, ଆଲୋ ଧ’ଲୋ ।

ଚମ୍ପା

ଗୀତ

(ଅପୂର୍ବ ଲତା- ବୃତ୍ତେ)

ଶୁଣ ରାଜନ,      ମୁଁ ଅତି ହୀନ,

ବିନତି ମୋହର ଘେନ,

ବୟାସାଗର      ମୋ ଦୁଃଖ ହର

ବ୍ୟାକୁଳ ଏ ମୋର ମନ (ରାଜନ) ।୧।

 

ମହାରାଜ ! ସେ କଥା ମୁଁ କଣ କହିବି କହିବାକୁ ବାକ୍ୟ ସ୍ଫୁରୁ ନାହିଁ ।

 

ଗୀତ

କାନ୍ତକୁ ମୋର,            ହେବାରୁ ଜ୍ୱର

ଡାକିଲି ଅଙ୍ଗଦକାର,

ବୋଇଲା ଭେଦ            ଅତି ଅସାଧ୍ୟ

କହନ୍ତେ ମାଡ଼ଇ ଡର । ୨।

 

ମହାରାଜ ! ମୋ ସ୍ୱାମୀଙ୍କୁ ଜ୍ୱର ହେବାରୁ ବୈଦ୍ୟଙ୍କ ନିକଟକୁ ଗଲି । ସେ ଯାହା ଅସାଧ୍ୟ ଔଷଧ ବତାଇଛନ୍ତି, ମୁଁ କଣ କହିବି ?

ରାଜା

କି ଅସାଧ୍ୟ ? ପ୍ରକାଶ କର ।

ଚମ୍ପା

ଗୀତ

ବାମ୍ଫିରୁ ନୀର            ନେବି କୁମ୍ଭର

ନ ପଶି ନ ଦେଇ ଡୋର,

ନୋହିଲେ ଫଳ            ହେବ ନିଷ୍ଫଳ

ମରିବ କାନ୍ତ ମୋହର (ରାଜନ) ।୩।

 

ମହାରାଜ ! ଏ ବାମ୍ଫିରୁ ମାଠିଆଏ ପାଣି ଆସିବ, ସେ ମାଠିଆରେ ଦଉଡ଼ି ଲାଗିବ ନାହିଁ କି କେହି ପଶିକରି କାଢ଼ିବେ ନାହିଁ । ଏପରି ପାଣି ନ ଆସିଲେ ସ୍ୱାମୀ ମୋର ନିଶ୍ଚୟ ମରିବେ ।

ରାଜା

ଗୀତ

(ପ୍ରାଣସଙ୍ଗିନୀ ନ ଯିବି- ବୃତ୍ତେ)

ନବରଙ୍ଗୀ ନବରଙ୍ଗ କଥାରେ

ନବଭାବ ଶୁଣାଉ ତୁ ଏଠାରେ

ନ ଭାଷ ତୁ ଆଉ ବୃଥାରେ । ପଦ ।

ହେ ସୁନ୍ଦରୀ ! କି ଅସମ୍ଭବ କଥା କହୁଛୁ !

 

ଗୀତ

ମନ୍ଦହାସୀ ରେ ଘନକେଶୀ ରେ

ବନ ଆସିବ କି (ତୋହ) ପାଶରେ

ବୈଦ୍ୟ କ୍ଷାସରେ ଭାଷିଛି ତୋରେ ଉପହାସ ଦେବାରେ ।

ପୀନ ଉରଜା ତୁ ଯା ଫେରି ଯା

ଜନ ସମାଜେ ପାଇବୁଟି ଲଜ୍ଜା ।

ନୁହ ଅବୁଝା, କର୍ମକୁ ବୁଝା

ନ ମେଣ୍ଟିବ ତୋର ଚିନ୍ତାରେ ।୧।

 

ସୁନ୍ଦରୀ ! ଏ ଅସମ୍ଭବ କଥା ଜଗତରେ ଶୁଣାନାହିଁ, ସେ ବୈଦ୍ୟ ତୋତେ ମିଥ୍ୟାରେ ଏପରି କହିଛି ।

 

ଚମ୍ପା

ଗୀତ

କିପାଁ ନିରାଶ            କର କ୍ଷିତୀଶ,

ସରସୀ ଖୋଳା ସନ୍ଦେଶ

ଶୁଣିଲେ ଜନେ            ଆସିଛି ଏଣେ

ଏ କାର୍ଯ୍ୟ ସେହି ସଦୃଶ ।୪।

 

ମହାରାଜ ! ମୋତେ ଅନ୍ୟ ଦେଶର ଲୋକମାନେ କହିଲେ, ରାଜା ବିକ୍ରମଦେବ ଅନେକାନେକ ଆଶ୍ଚର୍ଯ୍ୟ କଥା କରୁଛନ୍ତି । ତୋର ଏ କଥା ଅତି ସାମାନ୍ୟ । ସେ ନିଶ୍ଚୟ ଏହା ସାଧନ କରିପାରିବେ ।

 

ରାଜା

ନା, ସୁନ୍ଦରୀ ! ମୁଁ ଏ କାର୍ଯ୍ୟ କରି ପାରିବି ନାହିଁ ।

ଚମ୍ପା

ମହାରାଜ ! ବିନା ଅସ୍ତ୍ର ଓ ମାନବରେ ପୋଖରୀ ଖୋଳା ହେଉଛି, ତା ତୁଳନାରେ ମୋ କାର୍ଯ୍ୟ କେତେ ମାତ୍ର ?

ରାଜା

ଏତ ବଡ଼ ମୁସ୍‌କିଲ କଥା ।

ଚମ୍ପା

ଗୀତ

ନ ହୁଅ ବ୍ୟସ୍ତ,            ହୁଅ ସାମର୍ଥ,

ଦିଅନ୍ତୁ ଜଳ ମୋ ହସ୍ତ

ଉଠିବେ କାନ୍ତ            ହେବି ନିଶ୍ଚିନ୍ତ

ବାଳକୃଷ୍ଣର ରଚିତ ।୫।

 

ମହାରାଜ ! ଆଉ ଭାବନା କଣ ? ଶୀଘ୍ର ଜଳ ଦିଅନ୍ତୁ, ନଚେତ୍ ସ୍ତ୍ରୀହତ୍ୟା ଦୋଷ ଲଭିବେ ।

 

ରାଜା

ଗୀତ

(କୁ) ପଦ୍ମନେତ୍ରି ରେ ଫାନ୍ଦ ପାତିରେ

ମତେ ନ ଦିଅ କୁ ଅପଖ୍ୟାତିରେ

ଏ ଉପହାସ            ଜନେ ନ ଭାଷ

ଲୋଡ଼ା ନାହିଁ ମୋ ସରସୀରେ

ମିଥ୍ୟା ଆଜୁଁ ମୋର କଥାରେ;

ଲୋକେ ଠିକିଲେ ପାଆନ୍ତି ଶିକ୍ଷାରେ

(ଏଥୁ) ଯାଅ ସତ୍ୱରେ ତୁହି ବ୍ୟସ୍ତ ରେ

ବାଳକୃଷ୍ଣ କଲା ଚିନ୍ତାରେ ।୨।

 

 

ସୁନ୍ଦରୀ ! ତୁ ରାଜ୍ୟରେ କହ, ରାଜା କୌଣସି ଅସମ୍ଭବକୁ ସମ୍ଭବ କରିନାହାନ୍ତି

ଚମ୍ପା

ହଉ ମହାରାଜ । (ପ୍ରସ୍ଥାନ)

ରାଜା

ଦୂତ, କିଏ ସେ ରମଣୀ, ମୋର କେଡ଼େ ବଡ଼ ପ୍ରତିଜ୍ଞାଟା ନଷ୍ଟ କରିଦେଲା !

ଦୂତ

ମହାରାଜ, ମୁଁ ସମ୍ଭବ କରେଁ, ମନ୍ତ୍ରୀ ଦ୍ୱାରା ଏକାଣ୍ଡ ହୋଇଛି ।

ରାଜା

ଗୀତ

(ଆହାରେ ଚତୁରି-ବୃତ୍ତେ)

ସେ ନାଗରିରାଜ            ବେଲା କେଡ଼େ ଲାଜ

ସହ୍ୟ ନୁହେଁ ତାର କଥା ରେ ।

ଚାତୁର୍ଯ୍ୟରେ ବଳି            ଗଲା ସେ ଛଇଳୀ

କଳି ନେଲା ମୋର ମଥାରେ । ପଦ ।

 

ଦୂତ ! ସାମାନ୍ୟ ସ୍ତ୍ରୀଟା କେଡ଼େ ଅପମାନ ଦେଲା !

 

ଗୀତ

ଆଣି ମନ୍ତ୍ରୀ ଆଜି କରାଇବି ସତ୍ୟ,

ପୁଚ୍ଛିବି ବୁଦ୍ଧି କେ ଦେଇଛି ଏମନ୍ତ ।

ପୁରୁଷ କି ନାରୀ ପାଇ ମୁଁ ସଙ୍କେତ

ଚୁର୍ଣ୍ଣ କରିବି ତା ମଥାରେ ।୧।

 

ଦୂତ ! ମନ୍ତ୍ରୀକୁ ଆଣି ସତ୍ୟ କରାଇ ପଚାରିବି, କିଏ ତାକୁ ଏ ବୁଦ୍ଧି ଦେଉଛି । ଯଦି ପୁରୁଷଦ୍ୱାରା ଏପରି କାଣ୍ଡ କରୁଥାଏ, ତେବେ ସେ ପୁରୁଷ ସହିତ ମିତ୍ରତା ସ୍ଥାପନ କରି ତାକୁ ମାରିବି ।

 

ଦୂତ

ମହାରାଜ ଯେବେ ସେ ସ୍ତ୍ରୀ ହୋଇଥାଏ !

ରାଜା

ଗୀତ

ପରିଣୟ କରି ମାରିବି ମୁଁ ପ୍ରାଣେ

ତୃପ୍ତହେବ ଚିତ୍ତ ତା ରୁଧିର ପାନେ

ଯାଅ ଦୂତଗଣେ ଆଣ ମନ୍ତ୍ରୀ କ୍ଷଣେ

ବାଳକୃଷ୍ଣର ବିଚାର ରେ ।୨।

 

ଯଦି ମନ୍ତ୍ରୀ ସ୍ତ୍ରୀଦ୍ୱାରା ଏ କୌଶଳ ଦେଖାଇ ଥାଏ, ସେ ସ୍ତ୍ରୀକୁ ବିବାହ କରି ତାକୁ ମାରି ତାର ରୁଧିର ପିଇବି । ଯାଅ ଶୀଘ୍ର, ମନ୍ତ୍ରୀକୁ ଧରିଆଣ ।

 

(ଦୂତର ପ୍ରସ୍ଥାନ ଓ ମନ୍ତ୍ରୀ ସହ ପୁନଃ ପ୍ରବେଶ)

 

ରାଜା

ମନ୍ତ୍ରୀବର ! ତୁମ୍ଭର କୌଶଳରେ ଆଜି ପରାଜିତ ହେଲି; କିନ୍ତୁ ଏ କୌଶଳ ପ୍ରକୃତ ସ୍ତ୍ରୀଦ୍ୱାରା ସାଧିତ ହୋଇଛି କି ନା ସନ୍ଦେହ ଜନ୍ମୁଛି ।

ମନ୍ତ୍ରୀ

ମହାରାଜ ! ପ୍ରକୃତ ସ୍ତ୍ରୀଦ୍ୱାରା ।

ରାଜା

ତେବେ ତାର ପରିଚୟ ।

ମନ୍ତ୍ରୀ

ହତଭାଗାର କନ୍ୟା ଚମ୍ପା ।

ରାଜା

ଗୀତ

(କର୍ମମୋର ଏଡ଼େ ନାରଖାର- ବୃତ୍ତେ)

ଦିଅ ବିଭା ଦୁହିତା ତୋହର ହେ ମନ୍ତ୍ରୀବର,

ତା ଶୋଭା ମୁଁ ଦେଖି ଲୋଭ ବଳିଛି ମନର ରେ । ପଦ ।

 

ମନ୍ତ୍ରୀବର, ତୁମ୍ଭର କନ୍ୟା ମୋତେ ବୁଦ୍ଧିବଳରେ ପରାଜିତ କରିଛି, ମୋତେ ତାକୁ ବିଭାଦିଅ ।

 

ରାଜା

ଗୀତ

ସୁଲକ୍ଷଣା ତୋ ଦୁଲଣା            କରିଛି ମୋ ବୁଦ୍ଧି ବଣା,

ହେବ ମୋର ମନୋରମା ଆଣ ମୋ ଛାମୁର ।

 

ମନ୍ତ୍ରୀ ! ସେ ମୋର ଅର୍ଦ୍ଧାଙ୍ଗିନୀ ହୋଇ ଏ ଐଶ୍ୱର୍ଯ୍ୟ ଭୋଗକରୁ ।

(ଗୀତ)

ବିଳମ୍ବ ନ କରି କ୍ଷଣେ      ଆଣ କନ୍ୟା ବିଭୂଷଣେ

ବାଳକୃଷ୍ଣ ଅନୁମାନେ ହେବ ଯୋଗ୍ୟ ମୋର ।୧।

 

ମନ୍ତ୍ରୀବର ! ଶୀଘ୍ର, କନ୍ୟାକୁ ମୋତେ ବିବାହ ଦିଅ । ଦୂତ ! ଶୀଘ୍ର ଯାନବାହନ ନେଇ ମନ୍ତ୍ରୀଙ୍କ କନ୍ୟାକୁ ଘେନିଆସ ।

 

୩ୟ ଦୃଶ୍ୟ

(ମନ୍ତ୍ରୀଗୃହ, ଚମ୍ପା ଓ କନକ)

ଚମ୍ପା

ଦାସୀ ! ପୁଣି ପିତାଙ୍କୁ ଆଜି ରାଜା ଦୂତ ପଠାଇ ଡାକି ନେଇଥିଲେ, ଏତେ ବିଳମ୍ବ ହେଲା କାହିଁକି ? ପିତା ତ ଏ ପର୍ଯ୍ୟନ୍ତ ଫେରିଲେ ନାହିଁ !

ଦାସୀ

ଏଇ ପରା ଆସୁଛନ୍ତି, ମୁହଁଟା କାହିଁକି ଶୁଖି ଯାଇଛି, ତେମେ ପଚାର ।

ଚମ୍ପା

ପିତା ! ବ୍ୟସ୍ତ ହେବାର କାରଣ କଣ ?

ମନ୍ତ୍ରୀ

ଗୀତ

(କୀର୍ତ୍ତନ ସୁର)

କେତେ କହିବି ଦୁହିତା            ମୋ କରମ କଥାରେ,

ବିପକ୍ଷ ହୋଇ ବିଧାତା କରେ ହଟହଟା ରେ । ପଦ ।

 

ଚମ୍ପା ! ମୋ ଅର୍ଜିଲା କଥା ତୋତେ କେତେ କହିବି ?

 

ଗୀତ

ଏ ଅଲୋଡ଼ା ପିଣ୍ଡେ ମୋର            ପରାଣ ଥାଇକି ଫଳ,

ଅବିରତ ଚିନ୍ତାକୁଳ ବିଅର୍ଥ ଜନ୍ମଟା ।୧।

 

ଚମ୍ପା ! ମୁଁ ନ ମରି ବଞ୍ଚିଛି କାହିଁକି ?

 

ଚମ୍ପା

ନ ହୁଅନ୍ତୁ ବ୍ୟସ୍ତ ପିତା କହନ୍ତୁ ସନ୍ଦେଶ ।

ମନ୍ତ୍ରୀ

ରାଜା ମୋତେ ପଚାରିଲେ ଏ ବୁଦ୍ଧି ତୋତେ କିଏ ଦେଇଛି । ମୁଁ ତୋର ନାଁ ପ୍ରକାଶ କରିବାରୁ ରାଜା ମୋତେ ତୋତେ ବିବାହ କରାଇବାକୁ ବାଧ୍ୟ କରୁଛି ।

ଚମ୍ପା

ଆଉ ଭାବିଲେ ହେବ କଣ ?

ମନ୍ତ୍ରୀ

ଗୀତ

ଚାହିଁ ତୋ ମୁଖ କମଳ            କଟାଉଥିଲି ମୁଁ କାଳ

(ତୁ) ଶୂନ୍ୟ କରିଯିବୁ କୋଳ ବାଳକୃଷ୍ଣ ଗୀତରେ ।୨।

 

ଚମ୍ପା ! ତୋତେ ହରାଇ ମୁଁ କଣ ସତେ ଆଉ ବଞ୍ଚିବି ?

 

ଗୀତ

(ବିଜୟରେ ଛାଡ଼ ସେ- ବୃତ୍ତେ)

ହେ ତାତ, କିପାଁଇ କର ସନ୍ତାପ

ଦଇବ ବଳକୁ କାଳେ ନାହିଁ କାର ଆୟତ୍ତ । ପଦ ।

 

ପିତା ! ବିଧାତା ବଳକୁ ମନୁଷ୍ୟର ଆୟତ୍ତ କିଛି ନାହିଁ । ଭାବିଲେ ବା କଣ ହେବ ?

 

ଗୀତ

ବିହି ଯା ରହିଛି କର୍ମେ      ସହିବାକୁ ହେବ ଦିନେ

କହିଲେ କି ହେବ ଯେ ଯାହାର ପୂର୍ବ ଅର୍ଜିତ ।୧।

କପଟି ଲମ୍ପଟି ନୃପ (ମୋତେ) ସନ୍ତାପ ଦେବ ବହୁତ

ନିଶ୍ଚୟ ମୁଁ ବୁଦ୍ଧିବଳେ ହେବି ତାର ହସ୍ତୁ ମୁକ୍ତ ।୨।

 

ପିତା ! ନୃପତି ଅପମାନର ପ୍ରତିଶୋଧ ନେବା ଆଶାରେ ମୋତେ ବିବାହ କରୁଛି, ଦେଖାଯିବ, ଭଗବାନ କଣ କରୁଛନ୍ତି ।

 

ଗୀତ

ଭାବିଲେ କି ହେବ ଆଉ            ସାଧୁଛି ନୃପତି ଦାଉ,

ହେଉ ବା ନ ହେଉ ବାଳକୃଷ୍ଣର ରଚିତ ।୩।

 

ଶୁଣ ତାତ ! ଚିତ୍ରକାର ଡକାଇ ଏକ୍ଷଣି ମୋ ସଦୃଶ ପ୍ରତିମାଏ କରନ୍ତୁ ନିର୍ମାଣ । ରକ୍ତ ପରିବର୍ତ୍ତେ ମଧୁ ଅନ୍ତରେ ରଖିଣ ମଇଦାରେ ମାଂସ ଚର୍ମ କରିବେ ନିର୍ମାଣ, ବିବାହ ପର ମଧୁଶଯ୍ୟା ଗୃହେ ଯିବା କାଳେ ଗୁପ୍ତଭାବେ ଦେବେ ମୋର କରେ ।

 

ଚତୁର୍ଥ ଦୃଶ୍ୟ

ମଧୁଶଯ୍ୟା ଗୃହ

(ବିବାହ ପର ମଇଦା ପୁତ୍ତଳି ଚମ୍ପାକୁ ଦେବା, ଚମ୍ପା ଖଟରେ ପ୍ରତିମାଟି ଶୁଆଇ ଖଟତଳେ ଲୁଚି ବସିବା)

 

(ରାଜାଙ୍କ ପ୍ରବେଶ)

ଶୋଇଛ, ଶୋଇଛ ରମଣି ! ରହ କ୍ଷଣେ ଶୁଆଉଛି ଚିରଦିନ ପାଇଁ ତୋତେ ।

 

ଗୀତ

ତୁ ପାଷାଣ୍ଡି ନାରୀ ଗୋଟା କଲୁ ଯେତେ ହଟା

ଛଡ଼ାଇବି ତୋ ଶଠତା ଯିବ ହୃଦୁ ଚିନ୍ତା ।୧।

ପାଷାଣ୍ଡି ! ଆଜି ତୋତେ କେ ରକ୍ଷା କରିବ କରୁ ଦେଖିବି ।

 

ଗୀତ

ବେଶ୍ୟା ପଣେ ଆସି ମୋ ଦେଶରେ କରି ବସା

ପ୍ରେମାକୁଳ କରି ମୋତେ କଲୁ ଲୋକହସା ।୨।

ପାଷାଣ୍ଡି ବେଶ୍ୟା ହୋଇ ମୋତେ କି ଲଜ୍ଜା ନ ଦେଇଛୁ ।

 

ଗୀତ

ଅନ୍ତିମ ନିଦ୍ରା ତୋହର ହୋଇଲା ନିକଟ,

ସମ୍ଭାଳରେ ନାରୀ ମଥା କହେ ବାଳକୃଷ୍ଣ ।୩।

 

(ରାଗରେ ହାଣିସାରି ରକ୍ତ ପିଇବା ସମୟେ ରକ୍ତ ମଧୁର ଲାଗିବାରୁ) ଏ କଣ ? ଏହାର ରୁଧିର କି ସୁମଧରୁ, କି ମିଷ୍ଟ, ଓହୋ ! ମୁଁ ମୂଢ଼ କଣ କଲି; ଯେଉଁ ରମଣୀ ରୂପରେ ଗୁଣରେ ମଧୁର ଓ ଶିରା ପ୍ରଶିରା ପ୍ରବାହିତ ରକ୍ତ ମଧୁର, ମୁ ତାକୁ ଚିରଦିନ ପାଇଁ ହରାଇ ବସିଲି ! ଧିକ ମୋର ଏତାଦୃଶ ପ୍ରତିଜ୍ଞା, କିବା ପ୍ରୟୋଜନ ଆଉ, ତେବେ ମୋ ନିର୍ଲଜ ପ୍ରାଣେ । (ଛୁରିକା ପ୍ରତି) ରେ ଛୁରିକା ! ତୁ ଯେପରି କରାଳ ମୁଖବ୍ୟାଦାନ କରି ଏହି ସୁଚତୁରୀ ରମଣୀର ବକ୍ଷ ବିଦୀର୍ଣ୍ଣ କରି ରୁଧିରାକ୍ତ ହୋଇଛୁ, ସେହିପରି ମୋ ବକ୍ଷ ଭେଦ କରି ତୋର ସମସ୍ତ ତୃଷ୍ଣା ନିବାରଣ କର (ସ୍ୱହସ୍ତେ ବକ୍ଷରେ ଛୁରି ମାରିବାକୁ ଉଦ୍ୟତ) ।

 

ଚମ୍ପା

(ଖଟତଳୁ ଆସି ହାତଧରି) କ୍ଷାନ୍ତ ହୁଅ ନରନାଥ ! ଏ କି ବାତୁଳତା ତବ, ବୁଝିଲ ତ ନାରୀର କୌଶଳ । ନାଥ ! ଯେଉଁ କଉଶଳେ ହରାଇଛି ପିତାଙ୍କ ସନ୍ତାପ, ସେହି କୌଶଳେ ଆଜି ରଖିଛି ଏ ଅଧୀନା ଜୀବନ ।

ରାଜା

ଧନ୍ୟରେ ରମଣୀ ରତନ ! କେ କହେ ନାରୀ ଅବଳା ? ପ୍ରକୃତରେ ପୁରୁଷଠାରୁ ସ୍ତ୍ରୀର ଚାତୁରୀ ବେଶୀ ।

 

(ଯବନିକା ପତନ)